ବଜେଟ୍‌କୁ ନେଇ ଏମିତି କହିଲେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ା୬(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅର୍ଥ ବିଭାଗ ନିଜ ପାଖରେ ରଖିଛନ୍ତି। ଆସନ୍ତା ବିଧାନସଭାରେ ନିଜେ ଅର୍ଥ ବଜେଟ ଉପସ୍ଥାପନ କରିବା ସମ୍ଭାବନା ରହିଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲୋକାଭିମୁଖୀ ବଜେଟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଉନ୍ନୟନ କମିଶନର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ଅବଗତ କରାଇଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ବଜେଟରେ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପ୍ରତିଫଳିତ ହେବ। ବିଭିନ୍ନ ବିଭାଗର ସମସ୍ତ ଯୋଜନାକୁ ଅଧିକ କାର୍ଯ୍ୟକ୍ଷମ ଓ ଫଳପ୍ରଦ କରିବା ସହ ଜିଲାସ୍ତରରେ ଯୋଜନାଗୁଡ଼ିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା ୧୦୦ ଦିନ ଭିତରେ ଧାନ କୁଇଣ୍ଟାଲ ୩୧୦୦ ଟଙ୍କା କରିବା ଏବଂ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାରର ଭାଉଚର ଦେବା ପାଇଁ ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଛି। ତେଣୁ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ବେଳେ ଏହି ୨ଟିି ବଡ଼ ଯୋଜନା ପାଇଁ ବଜେଟରେ ବ୍ୟୟବରାଦ ହେବାର ସମ୍ଭାବନା ରହିଛି। ସାଧାରଣ ନିର୍ବାଚନ ପାଇଁ ପୂର୍ବ ସରକାର ବିଧାନସଭାରେ କାମଚଳା ବଜେଟ୍‌ ଉପସ୍ଥାପନା କରିଥିଲେ। ଏପ୍ରିଲରୁ ଜୁଲାଇ ଯାଏ ୪ ମାସ ପାଇଁ ଏହି ବଜେଟ୍‌ ଉପସ୍ଥାପନ ହୋଇଥିଲା। ଏବେ ନୂଆ ସରକାର ଆସିବା ପରେ ନୂଆ ବଜେଟ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

Share