ନିକଟରେ ଗୀତ ଓ ଭୋଜିଭାତର ଆସର, ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଭିତରେ ଇଂଲିଶ୍ ନବବର୍ଷ ୨୦୨୩କୁ ସମସ୍ତେ ସ୍ବାଗତ ଜଣାଇଛନ୍ତି। କେବଳ ନୂଆବର୍ଷ କାହିଁକି, ବିଭିନ୍ନ ପର୍ବପର୍ବାଣି, ପାରିବାରିକ ଉତ୍ସବରେ ଥିଲାବାଲା ଲୋକ ସର୍ବଦା ଜାକଜମକରେ ପାଳନ କରିଥା’ନ୍ତି। ଅଧିକାଂଶ କେମିତି ସତ୍ ବା ଅସତ୍ ଉପାୟରେ ଅର୍ଜିତ ଟଙ୍କା ଖର୍ଚ୍ଚ କରିବାକୁ ବାଟ ପାଆନ୍ତି ନାହିଁ। ସେହିପରି କେନ୍ଦ୍ର ସରକାର ବା ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ, ଉତ୍ସବ ଟିକସଦାତାଙ୍କ ଅର୍ଥରେ ଅତ୍ୟନ୍ତ ଧୁମ୍ଧାମ୍ରେ ପାଳନ କରନ୍ତି। ଏସବୁ ଅନାବଶ୍ୟକ ବୋଲି ଆମେ କହୁନାହୁଁ। ଏହା ଆବଶ୍ୟକ। ଜଣେ ନିଜ ଜୀବନକୁ ଅନ୍ୟର କ୍ଷତି ନକରି ସତ୍ ଉପାୟରେ ଖୁସି ଓ ଆନନ୍ଦରେ କଟାଇବା ପାଇଁ ଚେଷ୍ଟା କରିବା ଉଚିତ୍। କିନ୍ତୁ ନିଜେ ଖୁସି ଓ ଆନନ୍ଦରେ ରହିବାବେଳେ, ଯେଉଁମାନେ ଦୁଃଖ, ଯନ୍ତ୍ରଣା, ଦାରିଦ୍ର୍ୟ, କ୍ଷୁଧାରେ ଅତ୍ୟନ୍ତ କଷ୍ଟରେ ଜୀବନଯାପନ କରୁଛନ୍ତି, ଓଳିଏ ଖାଇଲେ ଓଳିଏ ଉପାସରେ ରହୁଛନ୍ତି; ତାଙ୍କ କଥା ଭୁଲିଯିବା ଅନୁଚିତ୍। ସେମାନେ କିପରି ଏକ ସରସ, ସୁନ୍ଦର ତଥା ଗୁଣାତ୍ମକ ଜୀବନ ବିତାଇପାରିବେ, ସେଥିପ୍ରତି ଧ୍ୟାନ ଦେବା ଉଚିତ। କେହି କହିପାରିବେ ନାହିଁ ଯେ ତାଙ୍କର ଭବିଷ୍ୟତ ବଂଶଧର ସବୁଦିନେ ଖୁସିରେ ଜୀବନ ବିତାଇବେ ବୋଲି। କଥାରେ ଅଛି- ”ଦୁଃଖ ସୁଖ ନୁହେଁ ଚିର ସହଚର ସଭିଙ୍କର ଅଛି କ୍ଷୟ, ଆଜିଯା’ ବଦନ ହରଷରେ ପୂର୍ଣ୍ଣ କାଲିକୁ ବିଷାଦମୟ।“ ଆଜି ଯିଏ ରିକ୍ସା ଟାଣୁଛି ବା ମୂଲିଆ କାମ କରୁଛି ତା’ର ପିଲା କାଲି ବଡ଼ ପଦବୀରେ ଅଧିତିଷ୍ଠ ହେଲାବେଳେ, ଧନୀ ବା ବଡ଼ ପଦବୀରେ ଅଧିତିଷ୍ଠ ଲୋକର ପିଲା ସମାଜରେ ପ୍ରତିଷ୍ଠିତ ହୋଇପାରୁନି। ସମାଜ ଯେତେବେଳେ କଳୁଷିତ ହେଉଛି, ସାମାଜିକ ଅସ୍ଥିରତା ଦେଖାଦେଇଛି; ଜାତି, ଧର୍ମ, ରାଜନୀତି ନାମରେ ଘରେ ଘରେ ବାଦ ବିବାଦ ଦେଖାଦେଇଛି, ସେହି ସମୟରେ ଧନ, କ୍ଷମତା, ଯଶ ତଥା ପ୍ରତିପତ୍ତି ଆମକୁ ଓ ଆମ ପିଲାଙ୍କୁ ସୁରକ୍ଷା ଦେଇପାରିବ ନାହିଁ।
ଆମେ ଆନନ୍ଦରେ କିଛି ପାଳନ କଲାବେଳେ କିଛି ଲୋକଙ୍କ କଥା ଭାବିବା ଉଚିତ। ଯେଉଁମାନେ ଘର ନ ଥିବାରୁ ରାସ୍ତାରେ ବା ପ୍ଲାଟ୍ଫର୍ମରେ ବା ଗଛମୂଳେ ଶୋଉଛନ୍ତି ଏବଂ ବସ୍ତ୍ର ଅଭାବରୁ ଅର୍ଦ୍ଧନଗ୍ନ ଭାବେ ଜୀବନ ବିତାଉଛନ୍ତି; ଯେଉଁ ମା’ମାନେ ଅଭାବରୁ ପିଲାଙ୍କୁ ବିକ୍ରି କରୁଛିନ୍ତି; ଯେଉଁମାନେ ଭୋକରେ ନିଦ ଯାଉଛନ୍ତି; ଯେଉଁ ପିଲାଟି ଜନ୍ମରୁ ତା’ର ବାପା ବା ମା’କୁ ବା ଉଭୟଙ୍କୁ ହରାଉଛି; ଯେଉଁ ଝିଅ ବା ମହିଳା ଯୌନ ନିର୍ଯାତନା, ଦୁଷ୍କର୍ମ ବା ଗଣଦୁଷ୍କର୍ମର ଶିକାର ହେଉଛି; ଯେଉଁ ମହିଳା ପାରିବାରିକ ହିଂସା ବା ସ୍ବାମୀ ଦ୍ୱାରା ନିର୍ଯାତିତ ହେଉଛି; ଯେଉଁ ମହିଳାଟି ବିବାହର ଅଳ୍ପ ଦିନରେ ସ୍ବାମୀକୁ ହରାଉଛି, ଯେଉଁ ପରିବାର ଦୁର୍ଘଟଣା ବା କୌଣସି କାରଣରୁ ନିଶ୍ଚିହ୍ନ ହୋଇଯାଉଛି; ଯେଉଁ ପରିବାର ଦାରିଦ୍ର୍ୟ, କ୍ଷୁଧା, ଅନାହାର ସହି ନପାରି ସମସ୍ତେ ଆତ୍ମହତ୍ୟା କରୁଛନ୍ତି; ବାର୍ଦ୍ଧକ୍ୟ ଅବସ୍ଥାରେ ଯେଉଁ ଲୋକ ନିଜ ପିଲାଙ୍କ ଦ୍ୱାରା ନିର୍ଯାତିତ ହେଉଛନ୍ତି ବା ସବୁ ଥାଇ ମଧ୍ୟ ଜରାଶ୍ରମରେ ଜୀବନ ବିତାଉଛନ୍ତି ବା ଦୁରାରୋଗ୍ୟରେ ପଡ଼ି ଛଟପଟ ହେଉଛି ଏବଂ ମୃତ୍ୟୁର ଆଗମନକୁ ଅପେକ୍ଷା କରି ରହିଛି; ଅର୍ଥାଭାବରୁ ଯେଉଁ ପିଲାଟି ଅଧାରୁ ପାଠପଢ଼ା ବନ୍ଦ କରୁଛି; ଯେଉଁ ରୋଗୀଟି ଅର୍ଥାଭାବରୁ ଚିକିତ୍ସାପ୍ରାପ୍ତ ହେଉନି ବା ସମ୍ପତ୍ତିବାଡ଼ି ବିକ୍ରି କରିବାକୁ ପଡୁଛି ବା ଦୁରାରୋଗ୍ୟରେ ପଡି ମୃତ୍ୟୁକୁ ଅପେକ୍ଷା କରି ରହିଛି। ଅତ୍ୟନ୍ତ ଚିନ୍ତାର ବିଷୟ ହେଉଛି, ମଣିଷ ଗୋଟିଏ ପଟରେ ସବୁଠାରୁ ଅଧିକ ସ୍ନେହୀ, ଦୟାବାନ୍, ପରୋପକାରୀ ହେଲାବେଳେ ଆଉ ଗୋଟିଏ ପଟେ ଅତ୍ୟନ୍ତ ହିଂସ୍ର, ସ୍ବାର୍ଥପର, କ୍ରୂର, ନିଷ୍ଠୁର, ପ୍ରତିହିଂସା ପରାୟଣ । ପୁରାଣ, ଇତିହାସରୁ ଆମେ ଶିଖିଛେ କିପରି କ୍ଷମତା ପାଇଁ ଭାଇ ଭାଇକୁ, ପୁଅ ବାପାକୁ ନିର୍ଯାତନା ଦେଇଥାଏ ବା ହତ୍ୟା କରିଥାଏ । ପୁନଶ୍ଚ ଗରିବଟି ଯେତେବେଳେ ଧନୀ, କ୍ଷମତାଶାଳୀ ହେଉଛି ସେ ପ୍ରଥମେ ନିଜ ଲୋକ ବା ସମ୍ପର୍କୀୟଠାରୁ ଦୂରେଇଯାଉଛି।
ମିଳିତ ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ ଅନୁସାରେ ଭାରତରେ ୨୦୧୯-୨୧ରେ ବହୁମୁଖୀ ଦାରିଦ୍ର୍ୟ ହାର ୧୬.୪%, ଅର୍ଥାତ୍ ୨୨.୮ କୋଟି ଉତ୍କଟ ଦାରିଦ୍ର୍ୟରେ ଜର୍ଜରିତ। ଏପରିକି ଭାରତ ସରକାରଙ୍କ ନୀତି ଆୟୋଗ ଅନୁସାରେ ଏହା ୨୫.୧%। ୨୦୧୧ ଜନଗଣନା ଅନୁଯାୟୀ ଭାରତରେ ପ୍ରାୟ ୧.୭୭ ନିୟୁତ ବାସହୀନ ଅଛନ୍ତି। ସେଥିମଧ୍ୟରୁ ପ୍ରାୟ ୫୨% ଦେଶର ସହରାଞ୍ଚଳରେ ବାସ କରନ୍ତି। ଭାରତରେ ବିଶ୍ୱରେ ସର୍ବାଧିକ ଆଧୁନିକ କ୍ରୀତଦାସ ଅଛନ୍ତି, ଯାହାର ସଂଖ୍ୟା ୧.୪ କୋଟିରୁ ୧.୮ କୋଟି ହେବ। ନେଦରଲାଣ୍ଡର ଜନସଂଖ୍ୟା ଅପେକ୍ଷା ଭାରତରେ ଆଧୁନିକ କ୍ରୀତଦାସ ଅଧିକ। ଭାରତରେ ପୁଷ୍ଟିହୀନତାର ଶିକାର ହେଉଥିବା ଲୋକଙ୍କ ସଂଖ୍ୟା ୨୦୨୧ରେ ୨୨.୪୩ କୋଟି ହୋଇଥିଲାବେଳେ ୯୭.୩୩ କୋଟି ବା ୭୦.୫% ଭାରତୀୟ ସ୍ବାସ୍ଥ୍ୟକର ଖାଦ୍ୟ ପାଇବାରୁ ବଞ୍ଚତ୍ତ। ୨୦୨୧ରେ ମହିଳାଙ୍କ ବିରୋଧରେ ଅପରାଧ ମାମଲା ୪,୨୮,୨୭୮କୁ ବୃଦ୍ଧି ପାଇଛି। ୨୦୨୧ରେ ଦେଶରେ ମୋଟ ୩୧,୬୭୭ ବଳାତ୍କାର ମାମଲା ରୁଜୁ ହୋଇଛି। ସେହିପରି କରୋନା ମହାମାରୀ ଯୋଗୁ କୋଟି କୋଟି ଲୋକ କ୍ଷତିଗ୍ରସ୍ତ ହେଲାବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ବିଶ୍ବରେ ୧.୪୮ କୋଟି ଏବଂ ଭାରତରେ ୪୭ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁବରଣ କରିଥିବା ପରିବାରର ଦୁଃଖ କଥା ସରକାର ତଥା ଧନିକ ଶ୍ରେଣୀ ଲୋକ କେବେ ଭାବୁଛନ୍ତିକି? ‘ଆପେ ବଞ୍ଚତ୍ଲେ ବାପର ନଁା’ ବା ‘ଯୋହି ଯିତା ଓହି ସିକନ୍ଦର’ ନୀତିରେ ଥିଲାବାଲା ଭାବୁଛନ୍ତି କେତେ ଅଧିକ ଧନୀ ହେବେ ବା ସମ୍ପଦ ଠୁଳ କରିବେ। ସରକାର ଗ୍ଲାସ ଖାଲି ବା ଗରିବଙ୍କ କଥା ଭୁଲିଯାଇ ଗ୍ଲାସ ଅଧାଫୁଲ ବା ଧନିକଙ୍କ ସାଫଲ୍ୟ କଥା କହି ଦେଶ ଓ ଜନସାଧାରଣଙ୍କ ବିକାଶ ହେଉଛି ବୋଲି କହୁଛନ୍ତି।
କିନ୍ତୁ ଅନ୍ୟର ଦୁଃଖ ପ୍ରତି ସମବେଦନା ନ ଜଣାଇବା, ସମ୍ବେଦନହୀନ ହେବା, ଅନ୍ୟର ସମସ୍ୟା, ଦୁଃଖ ଯନ୍ତ୍ରଣା ଓ ଦାରିଦ୍ର୍ୟ ସମାଧାନ କରିବା ପାଇଁ ପ୍ରୟାସ ନ କରିବା ଦୁଃଖର ବିଷୟ। ବେଶୀ ଦୁଃଖର ବିଷୟ, ସରକାର ଉଦାସୀନ ହେବା ଓ ଭୋଟ ପାଇଁ ଟିକସଦାତାଙ୍କ ଅର୍ଥରେ ଅହରହ ଆତ୍ମ ପ୍ରଚାରରେ ଲିପ୍ତ ରହିବା। ଯଦି ଗାନ୍ଧିଜୀଙ୍କ କଥା ଆମେ ବିଚାର କରିବା, ତେବେ ୧ ଲକ୍ଷ ଲୋକରୁ ଯଦି ଜଣେ ଖରାପ ସ୍ଥିତିରେ ଥାଏ, ତେବେ ସରକାର ସେହି ଗୋଟିଏ ଲୋକର ଦୁଃଖ କିପରି ଦୂର ହେବ ସେହି କଥା ଚିନ୍ତା କରିବା ଉଚିତ। କିନ୍ତୁ ସରକାର କେତେବେଳେ ‘ଅଚ୍ଛେ ଦିନ୍ ତ’ ଆଉ କେତେବେଳେ ‘ଅମୃତ କାଳ’ ତ ଆଉ କେତେବେଳେ ସାଧୀନତାର ଅମୃତ ମହୋତ୍ସବ କଥା କହୁଛନ୍ତି। ଏସବୁ କ’ଣ ସମାଜର ଗରିବ, ନିଷ୍ପେଷିତ ଜନତାଙ୍କ ପ୍ରତି ଅପମାନ ନୁହେଁ ! ଆମ ମତରେ, ଆମ ଦେଶରେ ଯେତିକି ସମ୍ପଦ ଅଛି; ଯଦି ତାହାର ସୁଷମ ବଣ୍ଟନ ହୁଅନ୍ତା, ଧନୀ, ଶିଳ୍ପପତିମାନେ ଆବଶ୍ୟକ ଟିକସ ଦିଅନ୍ତି, ତେବେ ଲୋକଙ୍କ ଅନେକ ସମସ୍ୟା ଦୂର ହୁଅନ୍ତା।