ରକ୍ତ ଚାହେଁ ଏ ଜମି, ବିବାଦୀୟ ସାଇନ ବୋର୍ଡ ଭାଇରାଲ…

ଭୋପାଳ, ୧୨।୫ : ମଧ୍ୟପ୍ରଦେଶର ଛତ୍ରପୁର ଜିଲାର ଏକ ଛୋଟ ଗାଁରେ ଲଗାଯାଇଥିବା ବିବାଦୀୟ ସାଇନ ବୋର୍ଡକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ସାଇନ ବୋର୍ଡ ଏକ ଘରୋଇ ଜମିରେ ଲଗାଯାଇଛି। ଏଁଥିରେ ଲେଖା ଅଛି ଯେ ଏହି ଜମି ବିବାଦୀୟ, ଏହି ଜମି ରକ୍ତ ଚାହେଁ। ଏଭଳି ହିଂସାତ୍ମକ ସାଇନ ବୋର୍ଡ ସମ୍ପର୍କରେ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଏହାକୁ ହଟାଇବାକୁ ନିର୍ଦ୍ଦେଶ ଜାରି ହୋଇଛି।

ଏହି ମାମଲା ଛତ୍ରପୁର ଜିଲାର ଚାନ୍ଦ ପୋଲିସ ଷ୍ଟେସନ ଅଞ୍ଚଳର ହିମାତ୍ପୁର ଗାଁର। ଗତ କିଛି ବର୍ଷ ଧରି ଗାଁଠାରୁ ଦୂରରେ ଥିବା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଏକ ସାଇନ ବୋର୍ଡ ରଖାଯାଇଥିଲା। ଏହି ସାଇନ ବୋର୍ଡ କେବଳ ଜିଲା ପ୍ରଶାସନ ନୁହେଁ ପୋଲିସ ପ୍ରଶାସନ ପାଇଁ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସୂଚନାନୁସାରେ, ଏହି ଜମି ଗାଁରେ ରହୁଥିବା ତିୱାରୀ ପରିବାରର। ଜମିର ବିବାଦ ଗତ କିଛି ବର୍ଷ ଧରି ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଚାଲଛି। ଜମି ବିବାଦ ଯୋଗୁଁ ଦୁଇ ପରିବାର ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଏହି ଜମି ଗୁଲହି ତିୱାରୀଙ୍କ ନାମରେ ଅଛି ଏବଂ ଗାଁରେ ରହୁଥିବା ଲକ୍କୁ ତିୱାରୀଙ୍କ ସହ ବିବାଦ ଲାଗି ରହିଛି।

ଏହି ପ୍ରସଙ୍ଗରେ ଏସପି ସଚିନ ଶର୍ମା କହିଛନ୍ତି ଯେ ନିକଟରେ ଏହି ମାମଲା ସାମ୍ନାକୁ ଆସିଛି। ସେ କହିଛନ୍ତି, ବର୍ତ୍ତମାନ ଏହି ବୋର୍ଡ କିଏ ରଖିଛି ପୋଲିସ ତଦନ୍ତ କରୁଛି। ଷ୍ଟେଶନ ଇନ-ଚାର୍ଜଙ୍କୁ ଏହି ପ୍ରକାର ସାଇନ ବୋର୍ଡ ହଟାଯିବାକୁ କୁହାଯାଇଛି।
ଏବେ ଏହି ସାଇନ୍‌ ବୋର୍ଡ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share