ବାଜପେୟୀ ସରକାର ଭାଙ୍ଗି ଦେଇଥିଲେ ଓଡ଼ିଶାର ଏହି ନେତା

ଭୁବନେଶ୍ୱର,୬।୪:ମୁଣ୍ଡ ଉପରେ ନିର୍ବାଚନ। ଖଇ ଫୁଟା ଖରାରେ ମଇଦାନରେ ପ୍ରଚାର ଆରମ୍ଭ କଲେଣି ସବୁ ଦଳ। ପ୍ରାର୍ଥୀ ଘରକୁ ଘର ବୁଲି ମାଗୁଛନ୍ତି ଭୋଟ୍‌। କେଉଁ ଉପାୟରେ ଓ କି ପନ୍ଥା ଆପଣାଇଲେ ଭୋଟରଙ୍କ ମନ ବୁଝିବ ଏନେଇ ଦିନରାତି କସରତ କରୁଛନ୍ତି ପ୍ରାର୍ଥୀ। ଜଣେ ପ୍ରାର୍ଥୀ ହିଁ ଜାଣିଛନ୍ତି ଗୋଟିଏ ଭୋଟର ମୂଲ୍ୟ । ସେଥିପାଇଁ ତ ଗୋଟିଏ ଭୋଟ ହିଁ ଜଣେ ପ୍ରାର୍ଥୀଙ୍କ ବିଜୟ-ପରାଜୟ ନିର୍ଦ୍ଧାରଣ କରିଥାଏ । ଆଉ ସେହି ଗୋଟିଏ ଭୋଟର ମୂଲ୍ୟ କେତେ ତାହା ବୋଧ ହୁଏ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟତିତ ଆଉ କେହି ଅନୁଭବ କରି ନ ଥିବେ । ଗୋଟିଏ ଭୋଟ ଯେ ସରକାର ବଦଳାଇଦେବ ତାହା କେହି କେବେ କଳ୍ପନା ମଧ୍ୟ କରି ନ ଥିବେ । କିନ୍ତୁ ତାହା ହିଁ ହୋଇଥିଲା ୧୯୯୯ ମସିହାରେ । ମାତ୍ର ଗୋଟିଏ ଭୋଟ ପାଇଁ ଭାଙ୍ଗି ଯାଇଥିଲା ଅଟଳ ବିହାରୀ ବାଜପେୟୀଙ୍କ ଭାଜପା ସରକାର । ଆଉ କ୍ଷମତାକୁ ଆସିଥିଲା କଂଗ୍ରେସ ।

ବଡ କଥା ହେଉଛି ଯେଉଁ ଏମପିଙ୍କ ପାଇଁ ସରକାର ଭାଙ୍ଗିଥିଲା ସେ ଥିଲେ ଓଡ଼ିଶାର । ଆଉ ସେ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଗିରିଧରଙ୍କ ଗୋଟିଏ ଭୋଟ ଯୋଗୁ କଂଗ୍ରେସ ବହୁମତ ସାବ୍ୟସ୍ତ କରିଥିଲା ଆଉ ସରକାର ଗଠନ କରିଥିଲା । ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁ ଭାରତୀୟ ଇତିହାସର ସ୍ବର୍ଣ୍ଣିମ ଅଧ୍ୟାୟରେ ଲିପିବଦ୍ଧ ହୋଇ ରହିଛି ଆଉ ଆଗକୁ ମଧ୍ୟ ରହିବ । ବାଜପେୟୀ ସରକାରରେ ଥିବାବେଳେ ଏମିତି କିଛି କାମ କରିଯାଇଛନ୍ତି ଯେଉଁଥିପାଇଁ କି ପ୍ରତିଟି ଭାରତୀୟ ତାଙ୍କୁ ମନେ ରଖିଛନ୍ତି । ଆଉ ରାଜନୀତିରେ ଥିବା ବେଳେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡି ଯାଇଛନ୍ତି ବାଜପେୟୀ ।

କିନ୍ତୁ ଗମାଙ୍ଗଙ୍କ ଏହି କାର୍ଯ୍ୟ ବାଜପେୟୀଙ୍କୁବି ସେତେବେଳେ ଶକ୍ତ ଝଟ୍‌କା ଦେଇଥିଲା। ଯେତେବେଳେ ତାଙ୍କ ସରକାର ମାତ୍ର ଗୋଟିଏ ଭୋଟ ପାଇଁ ଧରାଶାୟୀ ହୋଇଥିଲା । ୧୯୯୯ ମସିହା ଏପ୍ରିଲ ୧୭ରେ ତତ୍‌କାଳୀନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ AIADMK ଦଳ NDAରୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ବାଜପେୟୀଙ୍କ ସପକ୍ଷରେ ପଡିଥିଲା ୨୬୯ ଭୋଟ । ଆଉ ବିପକ୍ଷରେ ପଡିଥିଲା ୨୭୦ ଭୋଟ । ଆଉ ସବୁଠୁ ବଡ କଥା ହେଉଛି ଯେଉଁ ଗୋଟିଏ ଭୋଟ ପାଇ କଂଗ୍ରେସ ଆଗୁଆ ହୋଇଯାଇଥିଲା ସେ ଭୋଟ ଥିଲା ଗିରିଧର ଗମାଙ୍ଗଙ୍କର । ଗିରିଧର ସେତେବେଳେ କୋରାପୁଟ ଏମପି ଥିଲେ । ତେବେ ପରେ କ୍ଷମତାକୁ ଫେରି ୨୦୦୪ ମେ ୨୨ ଯାଏ ପ୍ରଧାନମନ୍ତ୍ରୀ ପଦରେ ଶାସନ କରିଥିଲେ ବାଜପେୟୀ ।

Share