Categories: ଜାତୀୟ

ଗୋଟିଏ ଗୋଡ଼ରେ କାଉଡ଼ିଆ ଯାତ୍ରା କରି ଚର୍ଚ୍ଚାରେ ଏହି ବ୍ୟକ୍ତି

ନୂଆଦିଲ୍ଲୀ,୪।୮:ପ୍ରତିବର୍ଷ ଶ୍ରାବଣ ମାସରେ କାଉଡ଼ିଆ ଯାତ୍ରା ଦେଶର ପ୍ରତ୍ୟେକ କୋଣରୁ ଆରମ୍ଭ ହୋଇ ଗଙ୍ଗା ନଦୀ ପର୍ଯ୍ୟନ୍ତ ଯାଇଥାଏ। ଚଳିତ ବର୍ଷ ମଧ୍ୟ ବହୁ ସଂଖ୍ୟାରେ ଶିବ ଭକ୍ତ କାଉଡ଼ିଆ ଯାତ୍ରାରେ ସାମିଲ ହୋଇଛନ୍ତି। କାଉଡ଼ିଆ ଯାତ୍ରୀମାନେ ନିଜ ଉଭୟ କାନ୍ଧରେ ପବିତ୍ର ଜଳ ଥିବା ପାତ୍ରର ଭାର ସହ ଦୀର୍ଘ ପଥ ଅତିକ୍ରମ କରିଥାନ୍ତି। ବିଭିନ୍ନ ପ୍ରସିଦ୍ଧ ଶୈବପୀଠଗୁଡ଼ିକରେ ସେମାନେ ମହାଦେବଙ୍କୁ ଜଳ ଅର୍ପଣ କରନ୍ତି। ତେବେ ଗୋଟିଏ ଗୋଡ଼ ଥିବା ଜଣେ ଦିବ୍ୟାଙ୍ଗ ଯୁବକ ମଧ୍ୟ ଭଗବାନ ଶିବଙ୍କ ଆଶିଷ ପାଇବା ପାଇଁ କାଉଡ଼ିଆ ଯାତ୍ରାରେ ସାମିଲ ହୋଇଛନ୍ତି। ମୋହିତ ଗୁଜ୍ଜର ନାମକ ଜଣେ ଶିବଭକ୍ତ ନିଜର ଗୋଟିଏ ଗୋଡ଼ ସାହାଯ୍ୟରେ ଏହି ଯାତ୍ରା ଆରମ୍ଭ କରିଛନ୍ତି। ମୋହିତଙ୍କର ଗୋଡ଼ ନ ଥିବା ସତ୍ତ୍ୱେ ଏହି ସମସ୍ୟା ତାଙ୍କ କାଉଡ଼ିଆ ଯାତ୍ରାରେ ବାଧକ ହୋଇପାରିନି। ମହାଦେବଙ୍କ ପ୍ରତି ଅଗାଢ଼ ଭକ୍ତି ଓ ଦୃଢ଼ ଆତ୍ମବିଶ୍ବାସ ବଳରେ ସେ ଚଳିତ ବର୍ଷ ଗୋଟିଏ ଗୋଡ଼ରେ କାଉଡ଼ିଆ ଯାତ୍ରା କରିବା ପାଇଁ ସ୍ଥିର କରିଥିଲେ। ତେବେ ମୋହିତ ଯେଉଁ ଯେଉଁ ପଥ ଦେଇ ଯାଉଛନ୍ତି, ଲୋକମାନେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। ଏହାର ଏକ ଭିଡିଓ ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ସେ ମହାଦେବଙ୍କ ନାମ ନେଇ ଆଗକୁ ବଢ଼ୁଥିବା ବେଳେ କେତେଜଣ ଲୋକ ତାଙ୍କୁ ଅଟକାଇ ସାହାଯ୍ୟ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ସେମାନେ ମୋହିତଙ୍କୁ ପିଇବା ପାଇଁ ପାଣି ଦେଇ ତାଙ୍କ ତୃଷ୍ଣା ମେଣ୍ଟାଇଛନ୍ତି।

Share