ଭାଜପାର ରିମୋଟ କଣ୍ଟ୍ରୋଲ ହେଉଛନ୍ତି ଏହି ବ୍ୟକ୍ତି, ପ୍ରଶାନ୍ତ ଜଗଦ୍ଦେବଙ୍କ ଖୁଲାସା

ଭୁବନେଶ୍ୱର, ୧୮।୬(ସୁନିତ୍‌ ମିଶ୍ର):ରାଜ୍ୟରେ ସରକାର ବହୁତ ସକ୍ରିୟ ଅଛି। ଆମେ ମନ୍ତ୍ରୀ, ବିଧାୟକ ଯାହା ହେଲେ ମଧ୍ୟ ଆମ ରିମୋର୍ଟ ହେଉଛନ୍ତି ମୋଦି। ସେଠାରୁ ରିମୋର୍ଟ କଣ୍ଟ୍ରୋଲ ଚାଲିଛି। ମୋଦି ଯାହା କହିଥିଲେ ସେଇଆ ହିଁ ହେବ। ସେ କହିଥିଲେ ଦେଶରେ ଓଡ଼ିଶା ଏକ ନମ୍ବର ରାଜ୍ୟ ହେବ, ତାହା ହିଁ ହେବ। ଏଠି ଓଡ଼ିଶା ଏକ ନମ୍ବର ହେବାରେ କିଛି ଅସୁବିଧା ନାହିଁ। ଓଡ଼ିଶା ଧନୀ କିନ୍ତୁ ଓଡ଼ିଆ ଗରିବ। ଭାଜପାର ଡବଲ ଇଞ୍ଜିନ୍‌ ସରକାର ଏହାକୁ ସଫଳ କରିବ। ଆଗରୁ ସରକାରୀ ଅଫିସକୁ ଲୋକମାନେ ଯାଇପାରୁ ନ ଥିଲେ, ଅଫିସରରାଜ ଚାଲିଥିଲା। ସେଇଟା ଧ୍ୱଂସ ହୋଇଗଲା ବୋଲି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଶାନ୍ତ କହିଛନ୍ତି ଯେ, କାମ କ’ଣ ହେବ ନ ହେବ ସେଇଟା କହୁନି, ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଦେଖା ହବା ଲାଗି ତାଙ୍କ ଦୁଆର ସାହାଣମେଲା କରିଦେଇଛନ୍ତି। ଜଗନ୍ନାଥ ମନ୍ଦିର ମଧ୍ୟ ସାହାଣମେଲା କରାଗଲା। ଭାଜପା ସରକାର ହେବାରୁ ଅଫିସରମାନଙ୍କ ମୁଡ୍‌ ସବୁ ବଦଳିଗଲାଣି। ଏଇଟା ହେବାର ଥିଲା। ବିଜେଡି ଯେମିତି କରିକି ରଖିଥିଲା ସମସ୍ତେ ଜାଣନ୍ତି। ମୁଖ୍ୟ ଶାସନ ସଚିବ କହୁଥିଲେ ପ୍ରଶାସନ ହେଉଛି ଗୋଟେ ଢିଙ୍କି, ଶାସକ ଯେମିତି କୁଟିବ ସେମିତି ଚାଉଳ ବାହାରିବ। ବିଜେଡି ଓ ଭାଜପା ଭିତରେ ବହୁତ ଫରକ ଅଛି। ନବୀନ ବାବୁ ୫ମ ଥର ମୁଖ୍ୟମନ୍ତ୍ରୀ ହେବା ପୂର୍ବର କଥା। ବିଜେଡିର ୧୧୭ ବିଧାୟକ ନବୀନଙ୍କୁ ବିଧାୟକ ଦଳ ନେତା ଭାବେ ବାଛିବାର ଥାଏ। ସମସ୍ତ ବିଧାୟକ ବସିଥାଆନ୍ତି, ହେଲେ ସେଠାରେ ସମ୍ପୂର୍ଣ୍ଣ ଚୁପ୍‌ ଥାଆନ୍ତି। ଯେମିତି ମୁର୍ଦ୍ଦାର ଆସିବ ସେମିତି ସବୁ ଚୁପ୍‌ ଥାଆନ୍ତି। ମୁଁ ଯାଇ ପହଞ୍ଚତ୍ କହିଦେଲି, ଏତେ ଚୁପ୍‌ କ’ଣ, ମୁର୍ଦ୍ଦାର ଆସିବ। ସେଥିରୁ ଜଣେ କହିଲେ ପାଟିକରନି। ହେଲେ ଭାଜପା ଏକ ଗଣତାନ୍ତ୍ରିକ ଦଳ।
ନିର୍ବାଚନ ପୂର୍ବରୁ ଭାଜପା କାର୍ଯ୍ୟାଳୟ ଗଲାବେଳେ ଯେଉଁ କେତେଜଣ ଟିକେଟ ପାଇ ନ ଥାଆନ୍ତି ସେମାନଙ୍କ ସମର୍ଥକମାନେ ଚେୟାର, ଦୁଆର ସବୁ ଭଙ୍ଗାରୁଜା କରୁଥାଆନ୍ତି। ସେ ଯାଇ ଦଳର ରାଜ୍ୟ ସଭାପତିଙ୍କୁ କହିଲେ ଆଜ୍ଞା, ଚାଲନ୍ତୁ ପାର୍ଟି ଅଫିସ୍‌, ସବୁ ଭାଙ୍ଗିଦେଲେଣି ସେମାନଙ୍କୁ ମନା କରିବା। ହେଲେ ସଭାପତି ଉତ୍ତର ଦେଲେ ନାହିଁ ଗଣେଶ, କିଛି କରନାହିଁ। ସେମାନେ ଦଳ ପାଇଁ ବହୁ ତ୍ୟାଗ କରିଛନ୍ତି। ଯଦି ତୁମ ପାଖରେ ଟଙ୍କା ଅଛି ସେମାନଙ୍କୁ ଯାଇକି ପାଣି କିଣିକି ଦେଇ ଦିଅ। ଏହା ହେଉଛି ବିଜେଡି ଓ ଭାଜପା ଭିତରେ ଫରକ ବୋଲି ପ୍ରଶାନ୍ତ କହିଛନ୍ତି।
ସେ ପୁଣି କହିଛନ୍ତି, ଏଠି ମନେପଡ଼େ ବିଜେଡିର ପ୍ୟାରିମୋହନଙ୍କ କଥା। ସେ କହୁଥିଲେ ଘୋଡ଼ା ଓ ସବାର। ସବାର ଠିକ୍‌ ଥିଲେ ଘୋଡ଼ା ଚାଲିବ। ସବାର ଟିକେ ଦୁର୍ବଳ ହେଲେ ଘୋଡ଼ା ଫୋପାଡ଼ି ଦେବ।

Share