Categories: ଖେଳ

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌ ଭାବେ କାର୍ଯ୍ୟ କରୁଥିଲେ। ସମରବୀରା ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ତାଙ୍କୁ ଦଣ୍ଡିତ କରିଛି। ସମରବୀରା ଶ୍ରୀଲଙ୍କା ପାଇଁ ୭ ଟେଷ୍ଟ ଓ ୫ ଅନ୍ତର୍ଜାତୀୟ ଦିନିକିଆ ଖେଳିଛନ୍ତି। ସେ ୨୦୦୮ରେ କ୍ରିକେଟ ଭିକ୍ଟୋରିଆର ବ୍ୟାଟିଂ କୋଚ୍‌ ଭାବେ ଯୋଗଦେଇଥିଲେ। ଶ୍ରୀଲଙ୍କାର ଏହି ୫୨ ବର୍ଷୀୟ ପୂର୍ବତନ କ୍ରିକେଟର ଏଣିକି ଦୁଇ ଦଶନ୍ଧି ଧରି ଅଷ୍ଟ୍ରେଲିଆରେ କ୍ରିକେଟ ସମ୍ବନ୍ଧିତ କୌଣସି ବଡ଼ ପଦବୀରେ ରହିପାରିବେ ନାହିଁ। କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ ଘଟଣାଟି ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ଯଦିଓ କିଛି ଉଲ୍ଲେଖ କରାଯାଇ ନାହିଁ ଗଣମାଧ୍ୟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି, ସମରବୀରା ଜଣେ ଖେଳାଳିଙ୍କ ସହ ଜବରଦସ୍ତ ସମ୍ପର୍କ ରଖିବାକୁ ଚାହିଁଥିଲେ। ଦଣ୍ଡ ଉପରେ ସମରବୀରା ଏପର୍ଯ୍ୟନ୍ତ ତାଙ୍କର କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ଶ୍ରୀଲଙ୍କାର ଏହି ପୂର୍ବତନ କ୍ରିକେଟର ଗତବର୍ଷ ନଭେମ୍ବରରେ କାମଚଳା ମୁଖ୍ୟ କୋଚ୍‌ ଏବଂ ପରେ ଚଳିତବର୍ଷ ମେ ମାସରେ ତାଙ୍କୁ ଏହି ପଦବୀରେ ନିୟମିତ କରାଯାଇଥିଲା। ମାତ୍ର ଘଟଣାଟି ପ୍ରଘଟ ହେବାର ଦୁଇ ସପ୍ତାହ ମଧ୍ୟରେ ସେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ। ସେ ଆହୁରି ମଧ୍ୟ ଓମେନ୍ସ ବିଗ୍‌ ବାଶ୍‌ ଲିଗ୍‌ ଦଳ ମେଲବୋର୍ନ ଷ୍ଟାର୍ସ ଦଳର ସହକାରୀ କୋଚ୍‌ ଭାବେ କାର୍ଯ୍ୟକରୁଥିଲେ।

Share