୪୮ ବଲ୍‌ ଖେଳି ଆଇପିଏଲ୍‌ରେ ଚୌକା- ଛକା ମାରି ନାହାନ୍ତି ଏହି ଖେଳାଳି

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବ୍ୟୟ ବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସର୍ବଦା ଚୌକା-ଛକା ବର୍ଷା ହୋଇଥାଏ। ଏହି ଟୁର୍ନାମେଣ୍ଟରେ ରୋହିତ୍‌ ଶର୍ମା, ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନୀ, ଡେଭିଡ୍‌ ଓ୍ବାର୍ନର, ଷ୍ଟିଭ ସ୍ମିଥ, ଆନ୍ଦ୍ରେ ରସେଲଙ୍କ ପରି ବହୁ ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନ ବିଭିନ୍ନ ଦଳରେ ଖେଳୁଥାନ୍ତି। ଯେଉଁମାନେ କି ଚୌକା ଓ ଛକା ବୃଷ୍ଟି କରି ବିପକ୍ଷ ଦଳ ହାତରୁ ମ୍ୟାଚ୍‌କୁ ଛଡ଼ାଇ ଆଣିବାର କ୍ଷମତା ରଖିଥାନ୍ତି। କିନ୍ତୁ ଆଇପିଏଲ୍‌ରେ ଏମିତି କେତେଜଣ ବ୍ୟାଟ୍ସମ୍ୟାନ ରହିଛନ୍ତି ଯେଉଁମାନେ ଚୌକା କିମ୍ବା ୬ ଗୋଟିଏ ମାରିବା ପାଇଁ ବ୍ୟାକୁଳ ହେଉଛନ୍ତି। ଏଭଳି କେତେଜଣ ବ୍ୟାଟ୍ସମ୍ୟାନଙ୍କ ବିଷୟରେ ଜାଣିବା ଯେଉଁମାନେ ଆଇପିଏଲ୍‌ରେ ଚୌକା କିମ୍ବା ଛକାଟିଏ ମାରିପାରି ନାହାନ୍ତି। ଏହି ତାଲିକାର ସର୍ବାଗ୍ରେ ରହିଛନ୍ତି ଭାରତୀୟ ସ୍ପିନର ଯୁଜବେନ୍ଦ୍ର ଚହଲ। ଆଇପିଏଲ୍‌ରେ ସର୍ବାଧିକ ବଲ୍‌ ଖେଳି ବାଉଣ୍ଡରୀ ମାରିପାରି ନ ଥିବା ପରି ଅଲୋଡ଼ା ରେକର୍ଡ ଚହଲଙ୍କ ନାମରେ ରହିଛି। ଚହଲ ତାଙ୍କ ଆଇପିଏଲ୍‌ କ୍ୟାରିୟର ମଧ୍ୟରେ ଗୋଟିଏ ମଧ୍ୟ ବାଉଣ୍ଡରୀ ମାରିପାରି ନାହାନ୍ତି। ଏହି ଭାରତୀୟ ବୋଲର ଆଇପିଏଲ୍‌ରେ ୮୪ ମ୍ୟାଚ୍‌ ଖେଳି ୧୪ଥର ବ୍ୟାଟିଂ ସୁଯୋଗ ପାଇଛନ୍ତି। ଏହି ସମୟ ମଧ୍ୟରେ ସେ ମୋଟ୍‌ ୪୮ ବଲ୍‌ ଖେଳିଥିଲେ ମଧ୍ୟ ଗୋଟିଏ ବି ବାଉଣ୍ଡରୀ ତାଙ୍କ ବ୍ୟାଟ୍‌ରୁ ବାହାରି ନାହିଁ।


ସ୍ପିନର ପ୍ରଜ୍ଞାନ ଓଝା ମଧ୍ୟ ଆଇପିଏଲ୍‌ରେ ଛକା କିମ୍ବା ଚୌକା ଗୋଟିଏ ହେଲେ ମାରିନାହାନ୍ତି। ଡେକାନ ଚାର୍ଜସ ଓ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରଜ୍ଞାନ ୯୨ ମ୍ୟାଚ୍‌ ଖେଳିଛନ୍ତି। ସେଥିମଧ୍ୟରୁ ସେ ୨୩ ଇନିଂସରେ ବ୍ୟାଟିଂ କରିବାର ସୁଯୋଗ ପାଇ ମାତ୍ର ୧୬ ରନ ସଂଗ୍ରହ କରିଛନ୍ତି। ଯାହା ମଧ୍ୟରେ ଗୋଟିଏ ହେଲେ ବାଉଣ୍ଡରୀ ସାମିଲ ନାହିଁ। ଅଷ୍ଟ୍ରେଲୀୟ ଉଇକେଟ୍‌କିପର ମାଥ୍ୟୁ ଓ୍ବାଡେ ମଧ୍ୟ ୩ ଆଇପିଏଲ୍‌ ମ୍ୟାଚ୍‌ ଖେଳିଛନ୍ତି। ଏହି ୩ଟି ମ୍ୟାଚ୍‌ରେ ସେ ମୋଟ୍‌ ୩୩ ବଲରୁ ୨୨ ରନ୍‌ ସଂଗ୍ରହ କରିଥିଲେ ମଧ୍ୟ ଗୋଟିଏ ହେଲେ ବଲ୍‌ ସୀମା ବାହାରକୁ ପଠାଇ ପାରି ନ ଥିଲେ। ସିଦ୍ଧାର୍ଥ କୌଲ (୧୦ ଇନିଂସ), ୟୋ ମହେଶ (୨୭ ବଲ୍‌) ଓ ଜୀବନ ମେଣ୍ଡିସ (୨୭ ବଲ୍‌) ମଧ୍ୟ ଆଇପିଏଲରେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲେ ମଧ୍ୟ ଚୌକା-ଛକା ମାରିବାରୁ ବଞ୍ଚିତ ରହିଛନ୍ତି।

Share