Categories: ଜାତୀୟ

ଓ୍ବାୟନାଡରେ ରାହୁଲଙ୍କୁ ମୁକାବିଲା କରିବେ ଏହି ପାଓ୍ବରଫୁଲ ମହିଳା

ନୂଆଦିଲ୍ଲୀ,୮।୩: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକାରେ କଂଗ୍ରେସ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କେରଳର ୱାୟାନାଡରୁ ନିର୍ବାଚନ ଲଢୁଥିବାବେଳେ କଂଗ୍ରେସ ନେତା ଶଶି ଥରୁର କେରଳର ଥିରୁଭାନନ୍ତପୁରମରୁ ନିର୍ବାଚନ ଲଢିବେ। କଂଗ୍ରେସ ଶୁକ୍ରବାର ୩୯ଟି ଲୋକସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏଥିରେ କେରଳର ୧୫ଟି ଆସନରେ ପ୍ରାର୍ଥୀଙ୍କ ଘୋଷଣା କରିଛି। ଏହାପୂର୍ବରୁ କେରଳ ବାମପନ୍ଥୀ ମହାମେଣ୍ଟ ସୋମବାର ଦିନ ୱାୟାନାଡ ସମେତ ସମସ୍ତ ୨୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ପରିପ୍ରେକ୍ଷୀରେ କେରଳରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ଇଣ୍ଟିଆ ମେଣ୍ଟର ଦୁଇ ଦଳ କଂଗ୍ରେସ ଓ ସିପିଆଇ ମୁହାଁମୁହିଁ ହେବେ। ସିଟ ବୁଝାମଣାରେ ସିପିଏମ ୧୫ଟି ଆସନରେ, ୪ଟି ଆସନରେ ସିପିଆଇ ଏବଂ କେରଳ କଂଗ୍ରେସ (ଏମ) ଗୋଟିଏ ପ୍ରାର୍ଥୀ ଘୋଷଣା କରିଛି।

ତେବେ ଓ୍ବାୟନାଡରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୁକାବିଲା କରିବେ ଜଣେ ମହିଳା ପ୍ରତିଦ୍ୱନ୍ଦୀ। ସେ ହେଲେ ସିପିଆଇର ବରିଷ୍ଠ ନେତା ତଥା ସାଧାରଣ ସମ୍ପାଦକ ଡି ରାଜାଙ୍କ ସ୍ତ୍ରୀ ଆନି ରାଜା । ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ୱାୟାନଡରେ କଂଗ୍ରେସ ଏବଂ ସିପିଆଇ ମଧ୍ୟରେ ଏକ ପ୍ରତିଦ୍ୱନ୍ଦିତା ହୋଇଥିଲା। ଗତଥର ୱାୟାନାଡରେ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ ସିପିଆଇ ପିପି ସୁନେରଙ୍କୁ ପରାଜିତ କରିଥିଲେ। ସେଠାରେ ରାହୁଲ ୭୦୬,୩୬୭ (64.94%) ଭୋଟ ପାଇଥିବାବେଳେ ପିପି ସୁନେର ୨୭୪,୫୯୯(25.24%) ଭୋଟ ପାଇଥିଲେ। କହିରଖୁଛୁ କି, ରାହୁଲ ଗାନ୍ଧୀ ୨୦୧୯ରେ ଦୁଇଟି ଲୋକସଭା ଆସନ, ୱାୟନାଡ ଏବଂ ଆମେଥିରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ୱାୟାନାଡରେ ବିଜୟୀ ହୋଇଥିବାବେଳେ ଆମେଥିରୁ ଭାଜପା ନେତା ସ୍ମୃତି ଇରାନୀଙ୍କ ଠାରୁ ପରାସ୍ତ ହୋଇଥିଲେ।

 

Share