Categories: ଫୁରସତ

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି କି ମାଲିକଙ୍କର ସବୁ କଥା ଶୁଣି ନ ଥାଆନ୍ତି। ମନ ଇଛା ଛୁଟିରେ ବି ରୁହନ୍ତି। ଜାଣି ଖୁସି ହେବେ ଏସବୁ ସମସ୍ୟାର ସମାଧାନ ଏବେ ଏକ ରୋବୋ କରିବ। ଏହି ରୋବୋ ସବୁ କାମ ପର୍‌ଫେକ୍ଟ କରିବା ସହ ମାଲିକଙ୍କ ସବୁ କଥା ମାନିବ। ଛୁଟି ବି ନେବନି। ଘରର ସଦସ୍ୟ ପରି ରହି ସବୁ କାମ କରିପାରୁଥିବା ଏହି ରୋବୋକୁ ନର୍‌ଓ୍ବେର ୧ଏକ୍ସ ନାମକ କମ୍ପାନୀ ତିଆରି କରିଛି। ନିଓ ବିଟା ନାମକ ଏହି ରୋବୋ ପୂରାପୂରି ମଣିଷ ଭଳି। ଏହା ଘର କାମ ସହ ସେବା ଉଦ୍ୟୋଗରେ ବି କାମ କରିପାରିବ। ନିଓର ନିର୍ମାଣ କରିଥିବା କମ୍ପାନୀ ୧ଏକ୍ସର ସିଇଓ ବର୍ନଣ୍ଟ ବୋର୍ନିଚ କୁହନ୍ତି, ‘ଘରେ କାମ କରୁଥିବା ରୋବୋ ଏବେ ଆଉ ସ୍ବପ୍ନ ହୋଇ ରହିବ ନାହିଁ । କାରଣ ଆମେ ଗଢିଥିବା ନିଓ ନାମକ ରୋବୋ ପାରମ୍ପରିକ କଠୋର ରୋବୋଠୁ ଉନ୍ନତ। ଏହା ମଣିଷମେଳରେ ସୁରକ୍ଷିତଭାବେ କାମ କରିବ। କାହାରି କ୍ଷତି କରିବ ନାହିଁ। ଚଳିତ ବର୍ଷ ଆମେ କିଛି ଘରେ ଏହି ରୋବୋକୁ ଗବେଷଣାତ୍ମକଭାବେ ରଖୁଛୁ। ଭାବୁଛୁ ଏହା ନଶ୍ଚିତଭାବେ ଭଲ କାମ କରିବ। ଏହାର ଉତ୍ପାଦନ ବହୁ ମାତ୍ରାରେ କରାଯାଉଛି। ଏହାର ମୂଲ୍ୟ ବି ବହୁତ କମ୍‌ ରହିବ। ତେଣୁ ଆଗାମୀ ଦିନରେ ପ୍ରାୟ ସମସ୍ତଙ୍କ ଘରେ ଏହି ରୋବୋ କାମ କରୁଥିବାର ଦେଖିବାକୁ ମିଳିବ।’

Share