ବ୍ୟାଙ୍କର ନାଁ ‘ସୀତାରାମ’, ହୁଏନି ଟଙ୍କାପଇସା ନେଣଦେଣ

ଅଯୋଧ୍ୟା,୧୯।୧: ପ୍ରତିଷ୍ଠା ହେବାକୁ ଯାଉଛି ଭବ୍ୟ ରାମ ମନ୍ଦିର। ଜାନୁଆରୀ ୨୨ରେ ମନ୍ଦିରରେ ବିରାଜମାନ କରିବେ ରାମଲଲା। ଶୁକ୍ରବାର ପ୍ରଥମ ଥର ପାଇଁ ରାମଲଲାଙ୍କ କମନୀୟ ମୂର୍ତ୍ତି ଲୋକଲୋଚନକୁ ଆସିଛି। ତେବେ ପ୍ରାଣ ପ୍ରତିଷ୍ଠା ନେଇ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି। ଏହାରି ଭିତରେ ରାମଙ୍କୁ ନେଇ ବିଭିନ୍ନ ରୋଚକ କଥା ଓ ତାଙ୍କ ସହ ଜଡିତ ବ୍ୟକ୍ତିବିଶେଷଙ୍କ ଖୁଲାସା ହେଉଛି। ଜାଣି ଆଶ୍ଚର୍ଯ୍ୟ ହେବେ ଶ୍ରୀରାମଙ୍କ ନାମରେ ମଧ୍ୟ ଏକ ବ୍ୟାଙ୍କ ରହିଛି ଯେଉଁଠି କେବଳ ଭାରତୀୟ ନୁହେଁ ବହୁ ବିଦେଶୀ ମଧ୍ୟ ଏଥିରେ ନିଜର ଖାତା ଖୋଲିଛନ୍ତି।

ଅଯୋଧ୍ୟାର ମଣିରାମଦାସ ଛାବନୀ ପରିସରର ବାଲ୍ମୀକ ରାମାୟଣ ଭବନରେ ‘ଅନ୍ତରାଷ୍ଟ୍ରୀୟ ଶ୍ରୀ ସୀତାରାମ ବ୍ୟାଙ୍କ’ ରହିଛି। କେବଳ ହିନ୍ଦୁ ନୁହନ୍ତି ମୁସଲିମ ଦେଶ ସାଉଦି ଆରବ ପରି ଅନେକ ଦେଶର ରାମଭକ୍ତ ଏହି ବ୍ୟାଙ୍କରେ ନିଜର ଖାତା ଖୋଲିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ଏହା କି, ଏହି ବ୍ୟାଙ୍କରେ ଟଙ୍କାପଇସା ନେଣଦେଣ ହୋଇ ନ ଥାଏ। ଏଠାରେ କେବଳ ସୀତାରାମ ଲେଖାଯାଇଥିବା କାଗଜ ଟୁକୁଡା ନେଣଦେଣ ହୁଏ। ଯାହାକୁ ସଯତ୍ନେ ବ୍ୟାଙ୍କର ଟ୍ରେଜେରୀରେ ମଧ୍ୟ ରଖାଯାଇଛି। ଦେଶ-ବିଦେଶକୁ ମିଶାଇଲେ ମୋଟ ୧୫୦ଟି ଶାଖା ରହିଛି। ଏଥିରେ ମୋଟ ୨୮ହଜାର ଆକାଉଣ୍ଟ ହୋଲ୍ଡର ଅଛନ୍ତି। ରାମମନ୍ଦିର ନିର୍ମାଣ ପରେ ଏଠାରେ ଖାତା ଖୋଲିବା ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିଛି।

Share