ଏଥର ଧାନ ବିକିବେ ୧୭, ୨୬୩ ଚାଷୀ

ଭେଡେନ,୨୮।୮(ସୁଦନ ମହାକୁର): ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଅଧୀନ ଭେଡ଼େନ ବ୍ଲକର ୫ଟି ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ଗୁଡ଼ିକରେ ଚଳିତ ଖରିଫ ଋତୁ ଧାନ ବିକ୍ରି ପାଇଁ ଶୁକ୍ରବାର ସୁଦ୍ଧା ୧୭,୨୬୩ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ତନ୍ମଧ୍ୟରୁ ସିଆଲଖଣ୍ଡହଥା ପ୍ୟାକ୍ସରେ ୩୩୧୦, ସଂକ୍ରୀଡ଼ା ୩୫୨୨, ଋଷୁଡ଼ା ୨୩୧୨, ଭେଡ଼େନ ୪୭୨୯ ଏବଂ ରେମଣ୍ଡା ପାକ୍ସରେ ୩୩୯୦ ଜଣ ଚାଷୀ ପଞ୍ଜୀକରଣ ହୋଇଛନ୍ତି। ସରକାର ଚାଷୀ ପଞ୍ଜୀକରଣ ପାଇଁ ଜୁଲାଇ ୧୫ରୁ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରିଥିଲେ। ତେବେ ବିଭିନ୍ନ ଚାଷୀ ସଙ୍ଗଠନର ଦାବିକୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ୨୫ ତାରିଖ ପଯର୍‌ୟନ୍ତ ଅବଧି ବୃଦ୍ଧି କରିଥିଲେ।
ସୂଚନା ଅନୁସାରେ, ଗତ ରବିଋତୁ ଧାନ ବିକ୍ରି ପାଇଁ ଭେଡେନ ବ୍ଲକର ୫ଟି ପାକ୍ସ ଜରିଆରେ ୧୩ ହଜାର ୨୪ ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ତନ୍ମଧ୍ୟରୁ ଭେଡେନ ପାକ୍ସରେ ୪୪୧୫ ଜଣ, ସଂକ୍ରୀଡା ୩୪୨୨, ସିଆଲଖଣ୍ଡହଥା ୩୦୭୦ ଏବଂ ରୁଷୁଡା ପାକ୍ସରେ ୨୧୧୭ ଜଣ ଚାଷୀ ଫର୍ମ ଦାଖଲ କରିଥିଲେ। ସେହିପରି ଭେଡେନରେ ୪୦୯୯ ନବୀକରଣ, ନୂତନ ୩୧୬, ସଂକ୍ରୀଡା ୩୨୪୬ ନବୀକରଣ, ନୂତନ ୧୭୬, ସିଆଲଖଣ୍ଡହଥା ୨୭୩୦ ନବୀକରଣ, ନୂତନ ୩୪୦ ଏବଂ ରୁଷୁଡା ପାକ୍ସରେ ୧୮୮୮ ଜଣ ନବୀକରଣ କରିଥିବା ବେଳେ ୨୨୯ ଜଣ ଚାଷୀ ନୂତନ ଭାବେ ପଞ୍ଜୀକରଣ କରିଥିଲେ। ବିଶେଷ କରି ବ୍ଲକରେ ସମୁଦାୟ ୧ହଜାର ୬୧ଜଣ ନୂତନ ଚାଷୀ ଫର୍ମ ଦାଖଲ କରିଛନ୍ତି। ଉଳ୍ଲେଖନୀୟ, ରବି ଋତୁରେ ଧାନ ବିକ୍ରି କରିବା ପାଇଁ ମାର୍ଚ୍ଚ ୧ରୁ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଥିଲା। ମାର୍ଚ୍ଚ ୨୦ ତାରିଖ ଯାଏ ଚାଷୀ ସମବାୟ ସମିତି ମାଧ୍ୟମରେ ନାମ ପଞ୍ଜୀକରଣ ପାଇଁ ଫର୍ମ ଦାଖଲ କରିପାରିବେ ବୋଲି ସମୟ ଧାର୍ଯ୍ୟ ହୋଇଥିଲା। ଗତ ରବି ଋତୁରେ ବ୍ଲକରେ ପ୍ରାୟ ୧୩ ହଜାର ୮୦୯ ଜଣ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇଥିଲା। ଗତ ୨୦୨୨-୨୩ଠାରୁ ରବି ଋତୁରେ ୭୮୫ ଜଣ ଅଧିକ ଚାଷୀ ପଞ୍ଜୀକୃତ ହୋଇଥିଲେ। ଚଳିତ ଖରିଫ ଋତୁରେ ୩୪୫୪ ଜଣ ଚାଷୀ ଅଧିକ ପଞ୍ଜୀକୃତ ହୋଇଛନ୍ତି।
ପଞ୍ଜୀକରଣ ଫର୍ମରେ ଚାଷୀ ତାର କଷ୍ଟୋପାର୍ଜିତ ଧାନ କେବେ ବିକ୍ରି କରିବ ତାହା ମଧ୍ୟ ଏବେଠୁ ଦର୍ଶାଇବାକୁ ପଡ଼ୁଥିବାରୁ ଚାଷୀ ଅଡ଼ୁଆରେ ପଡ଼ିଛି। ଅପରପକ୍ଷେ ପଞ୍ଜୀକରଣ କାମ ପ୍ରାଥମିକ କୃଷି ସମବାୟ ସମିତି କରୁଥିବାରୁ କେତେ ଜମି ପଞ୍ଜୀକରଣ ହେଉଛି ତାର ଠିକ୍‌ ତଥ୍ୟ ମିଳିପାରୁନାହିଁ। କେତେ ପରିମାଣ ଜଳସେଚିତ ଏବଂ କେତେ ଅଣଜଳସେଚିତ ଜମିରେ ଚାଷ ହୋଇଛି ତାହା ସ୍ପଷ୍ଟ ହେଉନାହିଁ। ଏହାଦ୍ୱାରା ଅନେକ ଚାଷୀ ଧାନ ଚାଷ କରି ମଧ୍ୟ ଉକ୍ତ ଜମିର ଉପତ୍ାଦିତ ଧାନ ବିକ୍ରି କରି ନ ପାରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଅନେକ ଚାଷୀଙ୍କ କମ୍‌ ଜମି ଥିବାରୁ ସେମାନେ ପଞ୍ଜୀକରଣ କରୁ ନ ଥିବା ଦେଖିବାକୁ ମିଳିଛି। ଏଥିପାଇଁ ରାଜସ୍ବ ଏବଂ କୃଷି ବିଭାଗକୁ ମିଳିତ ଭାବେ ଦାୟିତ୍ୱ ଦିଆଯିବାକୁ ଅନେକ ସମୟରେ ଚାଷୀ ସଙ୍ଗଠନ ପକ୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ବୋଲି ଅଭିଯୋଗ ହେଉଛି। ସେହିପରି କେନ୍ଦ୍ରୀୟ ପରିବର୍ତ୍ତେ ଜିଲାସ୍ତରରେ ଧାନ କିଣାବିକା ପ୍ରକ୍ରିୟା କରାଗଲେ ଚାଷୀମାନେ ଲାଭବାନ ହୁଅନ୍ତେ ବୋଲି ଚାଷୀ ନେତା ଆର୍ତ୍ତତ୍ରାଣ ତ୍ରିପାଠୀ ପ୍ରକାଶ କରିଛନ୍ତି।