ଏଥର ବି ଖାଲି ପଡ଼ିବ ସିଟ୍‌

ଭୁବନେଶ୍ୱର,୨୭।୬(ଅସମାପିକା ସାହୁ)୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖା ବୁଧବାର ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ୧,୭୮,୯୭୬ ଜଣ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। କଳାରେ ୧,୦୯,୮୫୪ ଛାତ୍ରୀଛାତ୍ର ଥିବାବେଳେ ବିଜ୍ଞାନରେ ୪୫,୬୧୪, ବାଣିଜ୍ୟରେ ୧୭,୧୫୬, ଶାସ୍ତ୍ରୀରେ ୩,୫୭୪, ସେଲ୍‌ଫ ଫାଇନାନ୍ସିଂରେ ୨,୬୨୬ ଏବଂ ଆଇନରେ ୧୫୨ଜଣ ରହିଛନ୍ତି। ତେବେ ପ୍ରଥମ ଦିନରେ ରାତି ୯ଟା ସୁଦ୍ଧା ସମସ୍ତ ବିଭାଗରେ ମୋଟ ୪୭୬ଜଣ ନାମଲେଖାଇଛନ୍ତି। ଏଥିମଧ୍ୟରେ କଳାରେ ସର୍ବାଧିକ ୩୦୯ ଜଣ ଛାତ୍ରୀଛାତ୍ର ଥିବାବେଳେ ଶାରୀରିକ ବିଜ୍ଞାନରେ ୫୧, ଜୀବବିଜ୍ଞାନରେ ୨୦, ବାଣିଜ୍ୟରେ ୮୭, ସେଲ୍‌ଫ ଫାଇନାନ୍ସିଂରେ ୭ ଏବଂ ସଂସ୍କୃତରେ ୨ଜଣ ପ୍ରଥମ ଦିନରେ ନାମ ଲେଖାଇଛନ୍ତି। ପ୍ରଥମ ପର୍ଯ୍ୟାୟ ନାମଲେଖା ୨୯ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ପ୍ରଥମ ମେଧା ତାଲିକାରେ ମନୋନୀତ ହୋଇଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ନାମଲେଖାଇବାକୁ ପଡ଼ିବ।
ସେପଟେ ଚଳିତବର୍ଷ ମଧ୍ୟ ଯୁକ୍ତ୩ରେ ସିଟ୍‌ ଖାଲି ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଗତବର୍ଷ ୮୦ ହଜାରରୁ ଊର୍ଦ୍ଧ୍ୱ ସିଟ୍‌ ଖାଲିପଡ଼ିଥିବାବେଳେ ଚଳିତ ଶିକ୍ଷାବର୍ଷରେ ୩୬ହଜାରରୁ ଉର୍ଦ୍ଧ୍ୱ ସିଟ୍‌ ଖାଲି ପଡ଼ିବା ନେଇ ଆଶଙ୍କା କରାଯାଉଛି। କାରଣ ଯୁକ୍ତ୩ ନାମଲେଖା ପାଇଁ ରାଜ୍ୟରେ ୧,୦୫୬ଟି ଡିଗ୍ରୀ କଲେଜ ଥିବା ବେଳେ ମୋଟ ସିଟ୍‌ ସଂଖ୍ୟା ୨,୭୪,୧୫୧ ରହିଛି। କିନ୍ତୁ ଏଥର ୨,୩୭,୭୯୫ଜଣ ଛାତ୍ରୀଛାତ୍ର ଯୁକ୍ତ୩ ପାଇଁ ଆବେଦନ କରିଛନ୍ତି। ଅର୍ଥାତ୍‌ ଏ ସମସ୍ତ ଛାତ୍ରୀଛାତ୍ର ନାମଲେଖାଇବା ପାଇଁ ମନୋନୀତ ହେଲେ ବି ଆହୁରି ୩୬,୩୫୬ଟି ସିଟ୍‌ ଖାଲି ପଡ଼ିବ। ଗତବର୍ଷ ସିଟ୍‌ ପୂରଣ କରିବା ପାଇଁ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦୁଇଥର ଆବେଦନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଯୁକ୍ତ୩ ନାମଲେଖା ୨୦୨୩ ନଭେମ୍ବର ୩୦ରେ ଶେଷ ହୋଇଥିଲା। ତଥାପି ସିଟ୍‌ ପୂରଣ ହୋଇପାରି ନ ଥିଲା। ସେହି ଶିକ୍ଷାବର୍ଷରେ ୨,୭୧,୦୯୧ ସିଟ୍‌ ଥିବାବେଳେ ୧,୮୬,୯୪୦ଜଣ ଛାତ୍ରୀଛାତ୍ର ନାମ ଲେଖାଇଥିଲେ। ଆହୁରି ୮୪,୧୫୧ ସିଟ୍‌ ବଳକା ପଡ଼ିଥିଲା। ତେବେ ଏଥର ବି ସରକାର ଦୁଇଥର ଆବେଦନ ପ୍ରକ୍ରିୟା କରିବେ ବୋଲି ଆଶା କରାଯାଉଛି। କାରଣ ସିଟ୍‌ ପୂରଣ ହୋଇପାରିବ ନାହିଁ। ତେବେ ଯୁକ୍ତ୨ ପରେ ଏବେ ଅଧିକାଂଶ ଛାତ୍ରୀଛାତ୍ର ସାଧାରଣ ଯୁକ୍ତ୩ ପାଠ ପଢ଼ିବା ପାଇଁ ଇଚ୍ଛା ପ୍ରକାଶ କରୁ ନ ଥିବା ବେଳେ ଉଚ୍ଚଶିକ୍ଷା ପାଇଁ ଅନ୍ୟାନ୍ୟ କୋର୍ସ ଉପରେ ପଢ଼ିବାକୁ ଆଗଭର ହେଉଛନ୍ତି। ତେଣୁ ଯେତେ ନାମଲେଖା ପ୍ରକ୍ରିୟା କଲେ ବି ସିଟ୍‌ ପୂରଣ ହେବ ନାହିଁ ବୋଲି ଶିକ୍ଷାବିତ୍‌ମାନେ ମତପ୍ରକାଶ କରୁଛନ୍ତି।

Share