Categories: ଖେଳ

ଏଥର ମେସିଙ୍କ ବିଶ୍ୱକପ୍‌

୧୯୮୬ରେ ମାରାଡୋନାଙ୍କ ବିଶ୍ୱକପ୍‌ ଥିଲା। ଏଥର କିନ୍ତୁ ଲିଓନେଲ ମେସିଙ୍କର। ତାଙ୍କ ନାମରେ ରହିଥିବା ରେକର୍ଡ ଓ ତାଙ୍କ ଫୁଟ୍‌ବଲ ନେତୃତ୍ୱକୁ ନେଇ ଆଉ ଆଲୋଚନା କରିବା ଦରକାର ନାହିଁ। ତାଙ୍କ ମ୍ୟାଜିକ ବଲରେ ଆର୍ଜେଣ୍ଟିନା ସେମିଫାଇନାଲରେ ପ୍ରବେଶ କରିସାରିଛି। ଲୁସେଲ ଷ୍ଟାଡିୟମରେ ନେଦରଲାଣ୍ଡ୍ସକୁ ପେନାଲ୍ଟିରେ ପରାସ୍ତ କରିବା ପରେ ଆର୍ଜେଣ୍ଟିନା ଜାତୀୟ ଦଳ ବର୍ତ୍ତମାନ ସେମାନଙ୍କର ସ୍ବପ୍ନଠାରୁ ଆଉ ମାତ୍ର ଦୁଇଟି ମ୍ୟାଚ ଦୂରରେ ରହିଛି। ମେସି ତାଙ୍କ ବିଶ୍ୱକପ୍‌ ଯାତ୍ରା ୨୦୦୬ରେ ଜର୍ମାନୀରୁ ଆରମ୍ଭ କରିଛନ୍ତି। ତାଙ୍କ ପାଖରେ ଏବେ ମଧ୍ୟ କିଛି ଖେଳ ବାକି ରହିଛି। କେବଳ ପ୍ରଦର୍ଶନ ନୁହେଁ ଦଳକୁ ସଫଳ ନେତୃତ୍ୱ ଦେବାର ପରାକାଷ୍ଠା ସେ ଦେଖାଇଛନ୍ତି। ଶୁକ୍ରବାର ମ୍ୟାଚରେ ଏହା ଦେଖିବାକୁ ମିଳିଥିଲା। ନାହୁଏଲ୍‌ ମୋଲିନାଙ୍କୁ ଗୋଲ ସ୍କୋର କରାଇବାରେ ସେ ସହାୟତା କରିଥିଲେ। ପେନାଲ୍ଟି ସ୍ପଟ୍‌ରୁ ତାଙ୍କ ଗୋଲ୍‌ ବାସ୍ତବିକ ଚିତ୍ତାକର୍ଷକ ଥିଲା। ଆର୍ଜେଣ୍ଟିନା ନିର୍ଦ୍ଧାରିତ ସମୟ ଖେଳର ଶେଷ ୧୦ରୁ ୧୫ ମିନିଟ ମଧ୍ୟରେ ଦୁଇଟି ଗୋଲ ବରଣ କରିବା ଅପ୍ରତ୍ୟାଶିତ ଥିଲା, ଯେଉଁଥିପାଇଁ ମ୍ୟାଚର ଫଳାଫଳ ପେନାଲ୍ଟି ଶୁଟ୍‌ଆଉଟରେ ନିରୂପିତ ହୋଇଥିଲା। ଏଥରୁ ଗୋଟିଏ କଥା ଶିକ୍ଷା କରିବା କଥା ଯେ, ଗୋଲ ସ୍କୋର ପରେ ଦଳ ଯେତେବେଳେ ଆଗୁଆ ରହିଛି ଏହା କିପରି ବଜାୟ ରଖିହେବ ସେଥିପ୍ରତି ଯତ୍ନବାନ ହେବା ଆବଶ୍ୟକ। ଅନ୍ୟ ମ୍ୟାଚ ଅମୀମାଂସିତ ରହିବା ପରେ ଯେଉଁ ଢଙ୍ଗରେ ଆର୍ଜେଣ୍ଟିନା ଜିତିଲା ତାହା ଦଳକୁ ଅଧିକ ଶକ୍ତିଶାଳୀ କରିବ। ଗୋଲକିପର ‘ଡିବୁ ମାର୍ଟିନେଜ’ଙ୍କ ପ୍ରଦର୍ଶନ ଖୁବ୍‌ ଉଚ୍ଚକୋଟୀର ଥିଲା। ସେ ଦର୍ଶକଙ୍କ ମନ କିଣି ନେଇଥିଲେ। ଆର୍ଜେଣ୍ଟିନାର ଭାଗ୍ୟ ଟାଣ ଥିଲା, ତେଣୁ ଏହି ମ୍ୟାଚ ଜିତିନେଲା। କିନ୍ତୁ ଅନ୍ୟ ଲାଟିନ ଆମେରିକାନ୍‌ ଟିମ୍‌ ବ୍ରାଜିଲ ଗତଥରର ରନରଅପ୍‌ କ୍ରୋଏସିଆଠାରୁ ଦୁର୍ଭାଗ୍ୟଜନକ ଭାବେ ପ୍ରତିଯୋଗିତାରୁ ବିଦାୟ ନେଇଛି, ଯେଉଁ ଦଳକୁ ଏଥର ଟପ୍‌ ଫେଭରାଇଟ ବିବେଚନା କରାଯାଉଥିଲା। ୟୁରୋପିଆନ ଟିମ୍‌ କ୍ରୋଏସିଆ ପ୍ରମାଣିତ କରିଦେଲା ୨୦୧୮ ରନରଅପ୍‌ ଦଳକୁ ଅତିକ୍ରମ କରିବା ସହଜ ନୁହେଁ। ଲୁକା ମୋଡ୍ରିକ ପ୍ରମାଣ କରି ଦେଖାଇ ଦେଲେ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲେ ମଧ୍ୟ ସେ କାହିଁକି ଏବେ ମଧ୍ୟ ଅନ୍ୟମାନଙ୍କଠାରୁ ଆଗରେ ରହିଛନ୍ତି।
(ଚିଭାକ୍‌ ସ୍ପୋଟର୍‌ସ)

Share