ଏଥର ସ୍ବାଭାବିକ ମୌସୁମୀ

ଭୁବନେଶ୍ୱର,୨ା୬(ବ୍ୟୁରୋ):ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ସ୍ବାଭାବିକ ରହିବ। ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବ। ରାଜ୍ୟରେ ହାରାହାରି ବୃଷ୍ଟିପାତ ୧୧୫ରୁ ୧୨୦ ସେଣ୍ଟିମିଟର ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୩ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ଜୁନ୍‌ ୧୦ କିମ୍ବା ୧୧ ତାରିଖରେ ମୌସୁମୀ ଓଡ଼ିଶାକୁ ପ୍ରବେଶ କରିବା ସମ୍ଭାବନା ରହିଛି। ଜୁନ୍‌ ୭ କିମ୍ବା ୮ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ମୌସୁମୀକୁ ଅଧିକ ସକ୍ରିୟ କରିବ ବୋଲି ଅନୁମାନ କରାଯାଇଛି। ଲଘୁଚାପ ପ୍ରଭାବରେ ମୌସୁମୀ ଆଗକୁ ବଢ଼ିବା ସହ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଏବଂ ଗଞ୍ଜାମର କିଛି ଅଞ୍ଚଳରେ ପ୍ରବେଶ କରିବ। ଜୁନ୍‌ ମାସରେ ମୌସୁମୀ ବର୍ଷା ସ୍ବାଭାବିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଜୁଲାଇ ଓ ଅଗଷ୍ଟ ମାସରେ ମୌସୁମୀ ବର୍ଷା କିଭଳି ରହିବ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇ ନାହିଁ। ଗତ ବର୍ଷ ମୌସୁମୀ ରାଜ୍ୟକୁ ନିର୍ଦ୍ଧାରିତ ସମୟରେ ଆସିଥ୍‌ତ୍ଲେ ମଧ୍ୟ ଭଲ ବର୍ଷି ନ ଥିଲା। ଜୁନ୍‌ ମାସ ଶୁଖିଲା ପଡ଼ିଥିବା ବେଳେ ଜୁଲାଇ ମାସରେ ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।
ମଙ୍ଗଳବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ୯୬ରୁ ୧୦୪ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ଦେଶର ଉତ୍ତର-ପଶ୍ଚିମ ଓ ଦକ୍ଷିଣ ଭାଗରେ ମୌସୁମୀ ସ୍ବାଭାବିକ ରହିବ।
ତେବେ କେନ୍ଦ୍ରାଞ୍ଚଳ ମୁଖ୍ୟତଃ ମଧ୍ୟପ୍ରଦେଶ, ମହାରାଷ୍ଟ୍ରର କିଛି ଅଞ୍ଚଳରେ ଅଧିକ ବର୍ଷା ହୋଇପାରେ। ଏହାଛଡ଼ା ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଆସାମ, ଅରୁଣାଚଳପ୍ରଦେଶରେ ବର୍ଷାର ପରିମାଣ ସ୍ବାଭାବିକଠାରୁ କମ୍‌ ହୋଇପାରେ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ରାଜ୍ୟରେ ଗତ କିଛିଦିନ ହେବ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ବାୟୁ ମଣ୍ଡଳରେ ଆର୍ଦ୍ରତା ୮୦ ପ୍ରତିଶତରୁ ଅଧିକ ରହୁଛି। ଆସନ୍ତା ୩ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆକାଶ ମେଘାଚ୍ଛନ୍ନ ରହୁଥିବାରୁ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୪୦.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ ୪୦.୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

Share