ଚଳିତ ଥର ଲାଲବାଗରେ ଶୁଭିବନି ଗଣପତି ବାପା ମୋରୈୟା

ମୁମ୍ବାଇ,୧।୭: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। ଏହି ମହାମାରୀର ପ୍ରଭାବ ସାଧାରଣ ଜୀବନଯାପନଠାରୁ ଆରମ୍ଭ କରି ବ୍ୟବସାୟ, ଅର୍ଥନୀତି ଓ ପର୍ବପର୍ବାଣିରେ ମଧ୍ୟ ପଡ଼ିଛି। ଦେଶର ରାଜ୍ୟ ମାନଙ୍କ ମଧ୍ୟରୁ ସର୍ବାଧିକ କରୋନା ସଂକ୍ରମଣ ମହାରାଷ୍ଟ୍ରରେ ଦ୍ରୁତଗତିରେ ବ୍ୟାପିଥିବା ଲାଗିଛି। ପ୍ରତିଦିନ ଏଠାରେ ନୂଆ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ରୋକିବା ପାଇଁ ସରକାର ଲକ୍‌ଡାଉନ ଅବଧିକୁ ଜୁଲାଇ ୩୧ଯାଏଁ ବୃଦ୍ଧି କରିଦେଇଛନ୍ତି। ଇତିମଧ୍ୟରେ ମହାରାଷ୍ଟ୍ରର ପ୍ରସିଦ୍ଧ ଗଣେଷ ଉତ୍ସବ ପ୍ରତିବର୍ଷ ଆଡ଼ମ୍ବରରେ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ଏହି ଉତ୍ସବରେ କରୋନା ମହାମାରୀ ପ୍ରଭାବ ପଡ଼ିଥିବା ଦୃଶ୍ୟମାନ ହେଉଛି। ଏଥିଯୋଗୁ ମହାରାଷ୍ଟ୍ରର ପ୍ରସିଦ୍ଧ ଗଣପତି ମଣ୍ଡଳ ଲାଲବାଗ ଏଥର ବିସର୍ଜନ ଉତ୍ସବ ପାଳନ କରିବ ନାହିଁ। କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଲାଲବାଗ ଗଣପତି ମଣ୍ଡଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସ୍ଥିତିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଚଳିତ ଥର ନିରାଡମ୍ବରରେ ଏହି ଉତ୍ସବ ପାଳନ କରିବାକୁ ଲାଲବାଗ ଗଣପତି ମଣ୍ଡଳକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗଣେଷଙ୍କ ମୂର୍ତ୍ତିକୁ ୪ଫୁଟ ପର୍ଯ୍ୟନ୍ତ ରଖିବାକୁ ସେ କହିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଗଣପତି ମଣ୍ଡଳ ୨ଟି ମୂର୍ତ୍ତି ତିଆରି କରିବ, ଗୋଟିଏ ବଡ଼ ଓ ଗୋଟିଏ ଛୋଟ। କେବଳ ଛୋଟ ମୂର୍ତ୍ତିଙ୍କ ପୂଜାର୍ଚ୍ଚନା କରାଯିବ। କିନ୍ତୁ ଲାଲବାଗରେ ଗୋଟିଏ ବଡ଼ ମୂର୍ତ୍ତି ରହିଥିବା ବେଳେ ଏଠାରେ ଗଣପତିଙ୍କ ଲମ୍ବ କମ୍‌ କରାଯାଇପାରିବ ନାହିଁ। ତେଣୁ ଉକ୍ତ ମୁର୍ତ୍ତିକୁ ପୂଜା କରାଯିବ ବୋଲି ଜଣାପଡ଼ିଛି। କାରଣ ଛୋଟ ମୂର୍ତ୍ତି ପୂଜା କରାଗଲେ ଏଠାରେ ଭିଡ଼ ଏକତ୍ରିତ ହେବାର ସମ୍ଭାବନା ରହିବା ସହ ସାମାଜିକ ଦୂରତ୍ୱ ପାଳନ କରାଯାଇପାରିବ ନାହିଁ। ତେଣୁ ଚଳିତ ଥର ବିସର୍ଜନ ଉତ୍ସବ ମଧ୍ୟ ପାଳନ କରାଯିବ ପାହିଁ ବୋଲି ଗଣପତି ମଣ୍ଡଳ ଅଧିକାରୀ ସୂଚନା ଦେଇଛନ୍ତି।

Share