Categories: ଜାତୀୟ

ଉତ୍ତର ଭାରତରେ ଏଥର ହାଡ଼ଭଙ୍ଗା ଶୀତ ପୂର୍ବାନୁମାନ…

ନୂଆଦିଲ୍ଲୀ,୨୬।୧୦: ଏଥର ଉତ୍ତର ଭାରତରେ ହାଡ଼ଭଙ୍ଗା ଶୀତ ହେବାର ପୂର୍ବାନୁମାନ କରାଯାଇଛି। ଏଠାରେ ତାପମାତ୍ରା ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କିମ୍ବା ଏହାଠାରୁ କମ୍‌ ରହିବ ବୋଲି ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଉତ୍ତରପୂର୍ବ ଏସିଆରେ ମଧ୍ୟ ଏଭଳିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ଏଜେନ୍ସି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୃଷ୍ଟି ହେଉଥିବା ଲା ନିନା ପ୍ରଭାବରେ ଏଭଳି ପାଣିପାଗ ଉତ୍ତର ଏସିଆରେ ଅନୁଭୁତ ହେବ ବୋଲି କୁହାଯାଉଛି।

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଚାଇନା ସମେତ କେତେକ ଦେଶରେ କୋଇଲା ଅଭାବ ଯୋଗୁ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ପ୍ରବଳ ଥଣ୍ଡାରେ ଏହି ସମସ୍ୟା ଅଧିକ ଗୁରୁତର ହେବାର ଆଶଙ୍କା ରହିଥିବା ଏଥିରେ ଦର୍ଶାଯାଇଛି।

ଡାଟା ଯୋଗାଣକାରୀ ଡିଟିଏନ୍‌ର ପାଣିପାଗ ଗତିବିଧି ଉପାଧ୍ୟକ୍ଷ ରେନି ଓ୍ବାଣ୍ଡେଓ୍ବେଗ କହିଛନ୍ତି ଯେ, ଚଳିତ ବର୍ଷ ଶୀତଦିନେ ଉତ୍ତର ପୂର୍ବ ଏସିଆରେ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବ।

ସେହିପରି ଉତ୍ତର ଭାରତରେ ଜାନୁୟାରୀ ଫେବୃୟାରୀରେ ତାପମାତ୍ରା ୩ ଡିଗ୍ରୀ ତଳେ ରହିବାର ପୂର୍ବାନୁମାନ କରାଯାଇଛି।

ଆଟମସସ୍ପିଅରିକ୍‌ ଜି-୨ର ପାଣିପାଗ ବିଭାଗ ନିର୍ଦ୍ଦେଶକ ଟ୍ରୋଡ୍‌ କ୍ରୋଫର୍ଡଙ୍କ ଅନୁସାରେ, ଏଭଳି ସ୍ଥିତି ପାଇଁ କେବଳ ଲା ନିନା ଦାୟୀ ନୁହେଁ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ମଧ୍ୟ ଏହା ହେବାକୁ ଯାଉଛି। ଆର୍କଟିକ୍‌ର କାରା ସାଗରରେ ବରଫ ଖଣ୍ଡ କମ୍‌ ଦେଖିବାକୁ ମିଳିଛି। ଏହା ସିଧା ସଳଖ ପ୍ରଭାବ ଉତ୍ତର ପୂର୍ବ ଏସିଆର ଶୀତ ଦିନିିଆ ପାଣିପାଗ ଉପରେ ପଡ଼ିବାର ସମ୍ଭାବନା ରହିଛି।

ଲା ନିନା ପ୍ରଭାବରେ ସମୁଦ୍ର ଜଳ ପ୍ରବଳ ଥଣ୍ଡା ହେବାରେ ଲାଗିଥାଏ। ଫଳରେ ତାପମାତ୍ରା କମିଯାଇଥାଏ। ସେହିପରି ଏଲ୍‌ ନିନୋ ପ୍ରଭାବରେ ସମୁଦ୍ର ଜଳ ଗରମ ହେବାରେ ଲାଗେ। ଏହା ଫଳରେ ମୌସୁମୀ ଉପରେ ପ୍ରତିକୂଳ ପ୍ରଭାବ ଅନୁଭୁତ ହୋଇଥାଏ। ତେଣୁ ମୌସୁମୀରେ ଅନିୟମିତିତା ଦୃଷ୍ଟିଗୋଚର ହୋଇଥାଏ।

 

 

Share