ଏଥର ଆକ୍ସନ ଅବତାର

ଓଲିଉଡ୍‌ରେ ବାବୁସାନ ନିଜ ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିଲେ ‘ରୋମିଓ ଦ ଲଭରବୟ’ ଚଳଚ୍ଚିତ୍ରରୁ। ଇତି ମଧ୍ୟରେ ସେ ବେଶ୍‌ କେତୋଟି ସିନେମାରେ ଅଭିନୟ କରି ସିନେପ୍ରେମୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ସେ ଅଭିନୟ କରୁଥିବା ତଥା ନିର୍ମାଣଧୀନ ଓଡ଼ିଆ ସିନେମା ‘ବିଦ୍ୟାରାଣ’ରେ ତାଙ୍କୁ ଫୁଲ୍‌ ଆକ୍ସନ ଅବତାରରେ ଦର୍ଶକ ଦେଖିବାକୁ ପାଇବେ। କରୋନ ପାଇଁ ଏହାର ଶୁଟିଂ ବନ୍ଦ ଥିଲା ଏବଂ ପୁଣି ଥରେ ଏହାର ଶୁଟିଂ ଆରମ୍ଭ କରିବାକୁ ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି ଖୁବ୍‌ ଶୀଘ୍ର ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି ଏହାର ଅନ୍ୟତମ ପ୍ରଯୋଜକ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ। ଏହି ଫିଲ୍ମ ପାଇଁ ବାବୁସାନ୍‌ ନିଜ ଫିଗରକୁ ସିକ୍ସ ପ୍ୟାକ୍‌ କରିଛନ୍ତି ଏବଂ ସେଥିପାଇଁ ଟ୍ରେନର ଅଭିଜିତଙ୍କ ତତ୍ତ୍ୱାବଧାନରେ ସେ ବେଶ୍‌ ଝାଳ ବୁହାଇଛନ୍ତି। ଆଚାର୍ଯ୍ୟ ଏଣ୍ଟରଟେନମେଣ୍ଟ ଏବଂ ତଥ୍ୟ ପ୍ରଡକ୍ସନ ବ୍ୟାନରରେ ଚିତ୍ରଟିର ପ୍ରଯୋଜନା କରଛନ୍ତି ‘ପ୍ରେମ ପାଇଁ ମହାଭାରତ’ର ପ୍ରଯୋଜକ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ ଏବଂ ନବାଗତ ନିରଞ୍ଜନ ନାୟକ। ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉଛନ୍ତି ଜ୍ୟୋତି ଦାସ। ଖାସ୍‌ କଥା ହେଲା, ଜ୍ୟୋତିଙ୍କ ନିର୍ଦ୍ଦେଶନାରେ ବାବୁସାନ ପ୍ରଥମ ଥର ପାଇଁ ଅଭିନୟ କରିବେ। ବାପୁ ଗୋସ୍ବାମୀ ସଂଳାପ ରଚନା କରିଥିବା ବେଳେ ଏଥିରେ ସଂଯୋଜିତ ୫ଟି ଗୀତକୁ ଆଗଧାଡିର ସ୍ବରକାର ବୈଦନାଥ ଦାଶ ସ୍ବର ଦେଇଥିବା ବେଳେ ରଚନା କରିଛନ୍ତି ବାପୁ ଗୋସ୍ବାମୀ ଏବଂ ଡ. ନିର୍ମଳ ନାୟକ। ‘ଶିଷ୍ଟର ଶ୍ରୀଦେବୀ’ ପରେ ବାବୁସାନ୍‌ଙ୍କ ସହ ଦ୍ୱିତୀୟ ଥର ପାଇଁ ସ୍କ୍ରିନ୍‌ ସେୟାର କରୁଛନ୍ତି ଶିବାନୀ। ଏଥିରେ ବବି ମିଶ୍ର ନେଗେଟିଭ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ମିହିର ଦାସ ଏକ ଗୁରୁତ୍ୱପୂର୍ଣ୍ଣ ରୋଲ୍‌ରେ ଅଭିନୟ କରୁଛନ୍ତି।

Share