ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ପାଇଁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆ ପାଇଁ ପ୍ରଦୀପ ସାହୁଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେହିପରି ଭାରତୀୟ ଜନତା ପାର୍ଟି (ଭାଜପା) ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧାରୁ ପ୍ରାର୍ଥୀ କରିଛି।
ପ୍ରାର୍ଥୀ ଘୋଷଣା ପରେ ପ୍ରଦୀପ କହିଛନ୍ତି, ବେଗୁନିଆ ଓ ବୋଲଗଡ଼ ବାସିନ୍ଦା ସ୍ଥାନୀୟ ନେତୃତ୍ୱକୁ ଚାହୁଁଥିଲେ। ମୁଖ୍ୟମନ୍ତ୍ରୀ ମୋ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଅତୀତରେ ବେଗୁନିଆବାସୀଙ୍କ ଦାବିକ୍ରମେ ମୁଖ୍ୟମନ୍ତ୍ରୀ ବେଗୁନିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡ ମେଡିକାଲର ମାନ୍ୟତା ଦେଇଥିଲେ। ଏପରିକି ବେଗୁନିଆ ପରେ ବୋଲଗଡ଼କୁ ଏନ୍‌ଏସି ଘୋଷଣା କରିଥିଲେ। ଏଠାରେ ଦଳ ମଜଭୁତ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଉପରେ ଲୋକଙ୍କ ବିଶ୍ୱାସ ରହିଛି। ଚଳିତ ନିର୍ବାଚନରେ ବିଧାନସଭା ଓ ଲୋକ ସଭା ବିଜେଡି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟ ଲାଭ କରିବ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ରାଜେନ୍ଦ୍ର କହିଛନ୍ତି, ନବୀନଙ୍କ ନେତୃତ୍ୱରେ ଓଡ଼ିଶା ପ୍ରଗତି ପଥରେ ଆଗେଇ ଚାଲିଛି। ଖୋର୍ଦ୍ଧାକୁ ଏକ ନମ୍ବର ବିଧାନସଭାକ୍ଷେତ୍ର ଭାବେ ଗଢ଼ିତୋଳିବାକୁ ପ୍ରଚେଷ୍ଟା ରହିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଖୋର୍ଦ୍ଧାର ଭାଜପା ପ୍ରାର୍ଥୀ ଜଗଦ୍ଦେବ କହିଛନ୍ତି, କୌଣସି ଲଢ଼େଇ ନୁହଁ, ଏକପାଖିଆ ବିଜୟ ହେବ। ଉଭୟ ବିଧାନସଭା, ଲୋକ ସଭାରେ ଭାଜପାର ଯୋଡ଼ା ପଦ୍ମ ଫୁଟିବ। ଜିଲା ହେଡକ୍ୱାର୍ଟସ ସତ୍ତ୍ୱେ ଅବହେଳିତ ହୋଇ ରହିଥିବା ଖୋର୍ଦ୍ଧାର ପୂର୍ଣ୍ଣାଙ୍ଗ ବିକାଶ ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।

Share