ଯାଜପୁର ଅଫିସ,୨୭।୧୦:ଫସଲ ଉଜୁଡ଼ିଲେ ଚାଷୀ ଆଖିରୁ ଲୁହଝରେ। ଋଣ ଶୁଝି ନ ପାରି ସେ ଆମତ୍ହତ୍ୟା ଭଳି ପନ୍ଥା ଆପଣାଇବାକୁ ବାଧ୍ୟ ହୁଏ। ଚାଷ ପାଇଁ ଆବଶ୍ୟକ ହୁଏ ପାଣି । ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ମାତ୍ର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମଆଇପି)ର କ୍ଷୁଦ୍ର ନୀତି ଏବଂ ବିଭାଗୀୟ ଅଧିକାରୀଙ୍କ ଉଦାସୀନ ମନୋଭାବ ଓ ଆନ୍ତରିକତା ଅଭାବରୁ ଏହି ବ୍ୟବସ୍ଥାର ସୁଫଳ ଚାଷୀ ପାଇ ପାରୁନାହାନ୍ତି। ଏହାର ନିଚ୍ଛକ ଉଦାହରଣ ଯାଜପୁର ଜିଲା କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡିକରେ ଦେଖିବାକୁ ମିଳିଛି। ଜିଲାରେ ଥିବା ପ୍ରକଳ୍ପଗୁଡ଼ିକର ଆବଶ୍ୟକ ରକ୍ଷଣାବେକ୍ଷଣ କରାଯାଉନାହିଁ। ଫଳରେ ଜଳସେଚନ ବ୍ୟବସ୍ଥାର ଲକ୍ଷ୍ୟଧାର୍ଯ୍ୟ ପରାହତ ହେଉଛି ବୋଲି ମତପ୍ରକାଶ ପାଇଛି ।
ଗତ ୨୫ ତାରିଖରେ ସରକାର ରାଜ୍ୟରେ ଥିବା ସମସ୍ତ ଜଳସେଚନ ପ୍ରକଳ୍ପ ଉପରେ ତଦନ୍ତ ଓ ନିଷ୍ପତ୍ତି ନେବାକୁ ଏକ ଟେକ୍ନିକାଲ ଆଡଭାଇଜରି କମିଟି(ଟି.ଏ.ସି) ଗଠନ କରିଛନ୍ତି। ଏହି କମିଟି ଜଳସେଚନ ପରିମାଣ ବୃଦ୍ଧି, କାର୍ଯ୍ୟକ୍ଷେତ୍ର ବଢାଇବା, ସମସ୍ତ ଜଳସେଚନ ପ୍ରକଳ୍ପଗୁଡିକର ବୈଷୟିକ, ପରିକଳ୍ପନା, ନିର୍ମାଣ ଆଦି ପ୍ରତିବନ୍ଧକର ଦୂରୀକରଣ ସମେତ ପରବର୍ତ୍ତୀ ଅଟକଳ, ଡ୍ୟାମ୍, ଟନେଲ, ଗେଟ୍, ପାୱାର ହାଉସର ତଦନ୍ତ କରିବ। ଜିଲାରେ ଏମ୍ଆଇପି ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଛି। ନିର୍ଦ୍ଧାରିତ ପରିମାଣର ଜଳସେଚନ ନ ହେବା ଉପରେ ଏହି କମିଟି ଆବଶ୍ୟକ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଚାଷୀ ଆଶା ପ୍ରକାଶ କରିଛନ୍ତି।
କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜିଲାର ୧୦ଟି ବକରୁ ୯ଟି ବ୍ଲକରେ ୫୮ଟି ଏମ୍ଆଇପି ରହିଛି। ଏଥିରେ ୮୦୯୧ ହେକ୍ଟର ଜମିରେ ଜଳସେଚନ ହୋଇଥାଏ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ଚଳିତ ବର୍ଷ ମାତ୍ର ୪୪୭୯ ହେକ୍ଟର ଜମିରେ ଜଳସେଚନ ହେଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷେ ୨୦୨୦-୨୧ ବର୍ଷରେ ଜଳସେଚନ ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ଅନୁଦାନ ମିଳିଛି। ହେଲେ ଏହି ଅନୁଦାନର ଉପଯୁକ୍ତ ଭାବେ ଖର୍ଚ୍ଚ ନ ହୋଇ କେବଳ ଠିକାଦାର ପୋଷା ନୀତି ଚାଲିଥିବାରୁ ଚାଷୀମାନଙ୍କ ଜମି ମୁଣ୍ଡକୁ କେନାଲରେ ପାଣିମୁନ୍ଦେ ଯାଇପାରୁନାହିଁ। ଏଠାରେ ଭଙ୍ଗାବନ୍ଧ, ମଙ୍ଗଳପୁର, ରାଣୀବନ୍ଧ, ଢୋଲପଥର, ବଡଜୁରୀ, ଡମଶାଳା, ଗଣ୍ଡାନାଳ, ଭାଲୁକିପାତଲା ଆଦି ଏମଆଇପିକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ପ୍ରକଳ୍ପ ସଂଲଗ୍ନ କେନାଲଗୁଡ଼ିକ ପୋତି ହୋଇପଡିଛି। ସେଥିରେ ଅନାବନା ଗଛ ଉଠି ଜଳପ୍ରବାହ ପଥକୁ ଅବରୋଧ କରିଛି। ଅଧିକାଂଶ ସମୟରେ କେନାଲ ମରାମତି ହେଉଥିଲେ ହେଁ ନିମ୍ନମାନର କାମ ଯୋଗୁ ପୁଣି ତାହା ପୂର୍ବାବସ୍ଥାକୁ ଫେରିଯାଉଛି ା ଏସବୁର ମରାମତି ନିମନ୍ତେ ସ୍ଥାନୀୟ ଚାଷୀ ଦାବି କରି ଆସୁଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି ।
ଏ ସଂକ୍ରାନ୍ତରେ ଚାଷୀ କୁହନ୍ତି, ଯେତେବେଳେ ଖରାଟିଆ ଫସଲ ପାଇଁ ପାଣି ବ୍ୟବସ୍ଥା ହୋଇଛି ବୋଲି ଶୁଣିଥୁଲୁ ବହୁତ ଖୁସି ଲାଗିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଆଶା ଧୁଳିସାତ ହୋଇ ଯାଇଥିଲା । ନିହାତି ଆବଶ୍ୟକ ସମୟରେ ପାଣି ମିଳୁ ନାହୁଁ ବୋଲି ସେମାନେ କହିଛନ୍ତି । ଜମିକୁ ପାଣି ମାଡ଼ିବା ଦୂରର କଥା, କେବଳ ଚାଷୀଙ୍କ ଆଖିରୁ ଲୁହ ଝରୁଛି। ମରୁଡ଼ିଜନିତ କ୍ଷୟକ୍ଷତିର ଶିକାର ହୋଇ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଛି । ଏଭଳି ସ୍ଥିତିରେ ଟିଏସି ବ୍ୟବସ୍ଥା ଯଦି ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହେବ ଏମ୍ଆଇପିରେ ଜଳସେଚନ ସମସ୍ୟା ରହିବ ନାହିଁ ବୋଲି ମତ ପ୍ରକାଶ ପାଇଛି। ଏହି କମିଟିରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଅଧ୍ୟକ୍ଷ ରହିଥିବାବେଳେ ପ୍ଲାନିଂ ଆଣ୍ଡ ଡିଜାଇନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କୋ-ଅଧ୍ୟକ୍ଷ ଭାବେ ରହିଛନ୍ତି। ଏହାବାଦ ସଭ୍ୟ ଭାବେ ପ୍ଲାନିଂ, ଡିଜାଇନିଂ, ସର୍ଭେ ଆଣ୍ଡ ଇନଭେଷ୍ଟିଗେଶନ, ମନିଟରିଂ ପ୍ରଭୃତି ବିଭାଗର ଚିଫ୍ ଇଞ୍ଜିନିୟର ସଭ୍ୟ ରହିଛନ୍ତି।
ଏ ସଂକ୍ରାନ୍ତରେ ଏମ୍ଆଇପିର ନିର୍ବାହୀ ଯନ୍ତ୍ରୀ ଜି. ରାମକୃଷ୍ଣନ୍ଙ୍କୁ ପଚାରିବାରୁ ସେ କହିଛନ୍ତି, ନିର୍ଦ୍ଧାରିତ ପରିମାଣରେ ଜଳସେଚନ କରିବାକୁ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏଥିରେ କୌଣସି ଅନିୟମିତତା ହେଉନାହିଁ ।