ଏଥର ବି ଲକ୍‌ଡାଉନ୍‌ରେ କଟିବ ରଜ; ଅନ୍‌ଲାଇନରେ ରଜପାନ, ସହର ବୁଲିବ ‘ପିଠା ଅନ୍‌ ହ୍ବିଲ୍‌’

ଭୁବନେଶ୍ୱର, ୧୩।୬ (ବ୍ୟୁରୋ): ଗତବର୍ଷ କରୋନା ପାଇଁ ଗଣପର୍ବ ରଜ ଫିକା ପଡିଥିଲା। ଲକ୍‌ଡାଉନ୍‌ କଟକଣା ଯୋଗୁ ଲୋକେ ଘରୁ ପଦାକୁ ବାହାରି ନ ପାରିବାରୁ ରଜ ମଉଜ ଜମି ନ ଥିଲା। ଏବର୍ଷକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ସମସ୍ତେ। ହେଲେ ଏଥର ବି ସମାନ ସ୍ଥିତି। କରୋନାର ଦ୍ୱିତୀୟ ଲହର ଜାରି ରହିଥିବାବେଳେ ବର୍ଷା ଆରମ୍ଭ ହୋଇଛି। ଫଳରେ ରଜ ମଉଜ ଆରମ୍ଭରୁ ଫିକା ହୋଇଛି। ଝିଅ, ବୋହୂଙ୍କ ମନରେ ଆଉ ଉତ୍କଣ୍ଠା ନାହିଁ କି ଘରେ ବାହାରେ ରଜପାନ, ପିଠାର ବାସ୍ନା ପାଇଁ ସେପରି ପ୍ରସ୍ତୁତି ନାହିଁ। ରବିବାର ସଜବାଜ। ଦିନକ ପରେ ପହିଲି ରଜ। କିନ୍ତୁ କଟକଣା ଯୋଗୁ ନା ଜମିବ ଦୋଳିର ଆସର, ନା ସାଙ୍ଗସାଥୀଙ୍କ ସହ ବୁଲିବାର ମିଳିବ ସୁଯୋଗ। ପ୍ରତିବର୍ଷ ରଜରେ ନୂଆ ଚଳଚ୍ଚିତ୍ର ରିଲିଜ୍‌ ହୋଇଥାଏ। ମାତ୍ର ଏଥର ବି ତାହା ହେବ ନାହିଁ। ତାଲା ବନ୍ଦ କାରଣରୁ ସମସ୍ତ ପାର୍କ, ରେଷ୍ଟୁରାଣ୍ଟ, ଶପିଂ ମଲ୍‌, ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିଛି। ଏପରିକି ମାର୍କେଟ ବନ୍ଦ ରହିଥିବାରୁ ନୂଆ ଲୁଗାପଟା ମଧ୍ୟ କିଣିପାରି ନାହାନ୍ତି ଲୋକେ। ରଜ ପାଇଁ ସ୍ପେଶାଲ ଆୟୋଜନ କରୁଥିବା ହୋଟେଲ ଓ ଅନ୍ୟ ଆୟୋଜକମାନେ ମଧ୍ୟ ନିରାଶ ହୋଇଛନ୍ତି। ତେବେ ଏସବୁ ଭିତରେ ବି ରଜ ପାଳନ କରିବା ପାଇଁ ଅନ୍‌ଲାଇନ୍‌ ଏକମାତ୍ର ମାଧ୍ୟମ ପାଲଟିଛି। କେତେକ ଅନୁଷ୍ଠାନ ପକ୍ଷରୁ ଭର୍ଚୁଆଲରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଛି। ନୃତ୍ୟ, ସଙ୍ଗୀତ, ଡ୍ରାମା ସହିତ ଅନ୍ୟାନ୍ୟ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ରହିଛି।

Share