Categories: ଫୁରସତ

ଭୂକମ୍ପରେ ବି ସୁରକ୍ଷିତ ରହିବ ଏହି ଟ୍ରେନ୍‌

ଟୋକିଓ,୬।୭: ଜାପାନ ଏକ ନୂଆ ପ୍ରକାର ବୁଲେଟ୍‌ ଟ୍ରେନ୍‌ ନିର୍ମାଣ କରିଛି। ଏହି ଟ୍ରେନ୍‌ ଭୂକମ୍ପରେ ମଧ୍ୟ ସୁରକ୍ଷିତ ରହିପାରିବ। ଘଣ୍ଟାପ୍ରତି ୩୬୦ କିମି ବେଗରେ ଯିବାକୁ ଏହା ସକ୍ଷମ। ଏନ୍‌-୭୦୦-ଏସ୍‌ ନାମକ ଏହି ଟ୍ରେନ୍‌କୁ ଜୁଲାଇ ୧ ଠାରୁ ଯାତ୍ରା କରିବାକୁ ଅନୁମତି ମିଳିଛି। ୨୦୧୯ରେ ଏହାକୁ ପରୀକ୍ଷାମୂଳକ ଭାବେ ଯାଞ୍ଚ୍‌ କରାଯାଇଥିଲା। ଯାତ୍ରୀଙ୍କୁ ନେଇ ଯିବା ସମୟରେ ଟ୍ରେନ୍‌ର ଗତି ଘଣ୍ଟାପ୍ରତି ୨୮୫ କିମିରେ ସୀମିତ ରହୁଥିବା ଜାପାନ ରେଳ ମନ୍ତ୍ରଣାଳୟ କହିଛି। ଗତ ୧୩ ବର୍ଷ ମଧ୍ୟରେ ଜାପାନ ରେଳ ବିଭାଗ ପକ୍ଷରୁ ଏହି ନୂଆ ବୁଲେଟ୍‌ ଟ୍ରେନ୍‌କୁ ତୋକାଇଡୋ ରେଲଓ୍ବେ ଲାଇନ୍‌ ଉପରେ ଯାତ୍ରା କରିବାକୁ ଅନୁମତି ଦେଇଛି। ଏହି ଟ୍ରେନ୍‌ର ଲୋକାର୍ପଣ ଚଳିତ ବର୍ଷ ହେବାକୁଥିବା ଟୋକିଓ ଅଲମ୍ପିକ୍‌ ସମୟରେ କରାଯିବାର ଥିଲା। ତେବେ କରୋନା ସଂକ୍ରମଣ ଯୋଗୁ ଅଲମ୍ପିକ୍‌କୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ତେଣୁ ଅଧିକ ବିଳମ୍ବ ନ କରି ଜାପାନ ରେଳ ବିଭାଗ ପକ୍ଷରୁ ଏହାର ଲୋକାର୍ପଣ କରାଯାଇଛି। ନୂଆ ବୁଲେଟ ଟ୍ରେନ୍‌ରେ ସୁରକ୍ଷା ଏବଂ ଘଣ୍ଟାପ୍ରତି ବେଗ ଉପରେ ଅଧିକ ଧ୍ୟାନ ଦିଆଯାଇଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି।

Share