Categories: ଖେଳ

ଧୋନୀଙ୍କ ନାଁ ବ୍ୟାଟ୍‌ରେ ଲେଖି ପଡ଼ିଆକୁ ଓହ୍ଲାଇଲେ ଏହି ମହିଳା କ୍ରିକେଟ୍‌ର: ଜାଣନ୍ତୁ କାରଣ

ମୁମ୍ବାଇ,୬।୩: ମହିଳା ପ୍ରିମିୟର ଲିଗରେ ଏକ ରୋମାଞ୍ଚକର ମ୍ୟାଚରେ ୟୁପି ୱାରିୟର୍ସ ଗୁଜରାଟ ଜିଆଣ୍ଟସକୁ ତିନି ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ୟୁପିର ଗ୍ରେସ ହାରିସ ୨୬ ବଲରେ ୫୯ ରନର ଅପରାଜିତ ଇନିଂସ ଖେଳିଥିଲେ। ତେବେ ଏହି ବିଜୟର ମୂଳଦୁଆ କିରଣ ନାଭାଗେୟାର ରଖିଥିଲେ। ସେ ଯତ୍ନର ସହ ବ୍ୟାଟିଂ ୪୩ ବଲରେ ୫୩ ରନ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ପାଞ୍ଚ ଚୌକା ଓ ଦୁଇଟି ଛକା ମାରିଥିଲେ।
କିରଣଙ୍କ କେବଳ ବ୍ୟାଟିଂ ନୁହେଁ ବରଂ ତାଙ୍କ ବ୍ୟାଟ ମଧ୍ୟ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କାରଣ ସେ ବ୍ୟାଟ୍‌ରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନାଁ ଏବଂ ଜର୍ସି ନମ୍ବର ବ୍ୟାଟ୍‌ରେ ଲେଖି ପଡ଼ିଆକୁ ଓହ୍ଲାଇଥିଲେ। କିରଣଙ୍କ ବ୍ୟାଟ୍‌ ପାଇଁ କୌଣସି ପ୍ରଯୋଜକ ପାଇ ନାହାଁନ୍ତି, ତେଣୁ ସେ ତାଙ୍କ ଆଦର୍ଶ ଧୋନୀଙ୍କ ନାଁ ବ୍ୟାଟ୍‌ରେ ଲେଖି ପଡ଼ିଆକୁ ଓହ୍ଲାଇଥିଲେ। କିରଣ ବହୁତ ଗରିବ ପରିବାରରୁ ଆସିଛନ୍ତି। ତେବେ କ୍ରିକେଟରେ ତାଙ୍କର ଅନେକ ବଡ଼ ରେକର୍ଡ ରହିଛି। କିରଣ କେବଳ କ୍ରିକେଟ ନୁହେଁ ଆଥଲେଟିକ୍ସ ଦୁନିଆରେ ମଧ୍ୟ ନାମ ଅର୍ଜନ କରିଛନ୍ତି।
୨୭ ବର୍ଷୀୟା ମହାରାଷ୍ଟ୍ରର ସୋଲାପୁରରେ ଜନ୍ମଗ୍ରହଣ କରିଥିଲେ। ଘରୋଇ କ୍ରିକେଟରେ ସେ ନାଗାଲାଣ୍ଡକୁ ପ୍ରତିନିଧିତ୍ୱ କରନ୍ତି। କିରଣ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୬ଟି ଟି-୨୦ ମ୍ୟାଚ ଖେଳିଛନ୍ତି। କିରଣଙ୍କ ପିତା ଜଣେ କୃଷକ ଏବଂ ମା’ ଜଣେ ଗୃହିଣୀ। ତାଙ୍କର ଦୁଇ ଭାଇ ମଧ୍ୟ ଅଛନ୍ତି। ରବିବାର କିରଣ ବ୍ୟାଟିଂ କରୁଥିବାବେଳେ ତାଙ୍କ ମାତାପିତା ମୋବାଇଲରେ ଗର୍ବର ମୁହୂର୍ତ୍ତ ଦେଖୁଥିଲେ। ମହିଳା ପ୍ରିମିୟର ଲିଗ ପୂର୍ବରୁ କିରଣ ଗତ ବର୍ଷ ପର୍ଯ୍ୟନ୍ତ ଭାରତରେ ଆୟୋଜିତ ମହିଳା ଟି-୨୦ ଚ୍ୟାଲେଞ୍ଜରେ ମଧ୍ୟ ଖେଳିଛନ୍ତି। ସେ ଭେଲୋସିଟି ଦଳରେ ଥିଲେ। ଏହି ଲିଗରେ ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ମଧ୍ୟ ଅଛି। ଗତ ବର୍ଷ କିରଣ ଏହି ଟୁର୍ନାମେଣ୍ଟରେ ଟ୍ରେଲବ୍ଲେଜରର୍ସ ବିପକ୍ଷରେ ୨୫ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ, ଯାହା ଏହି ଟୁର୍ନାମେଣ୍ଟରେ ଦ୍ରୁତତମ ଅର୍ଦ୍ଧ ଶତକ ଅଟେ।
କିରଣ ସର୍ବଦା କୁହନ୍ତି, ଧୋନୀଙ୍କ କାରଣରୁ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ଏବଂ ସେ ତାଙ୍କର ଆଦର୍ଶ ଏବଂ ପ୍ରେରଣା ଅଟନ୍ତି। ୨୦୧୧ ଦିନିକିଆ ବିଶ୍ୱକପରେ ଭାରତର ବିଜୟ ପରେ କିରଣ ଧୋନୀଙ୍କୁ ଆଦର୍ଶ କରିବା ଆରମ୍ଭ କରିଥିଲେ।

Share