Categories: ଫୁରସତ

ପୋଲିସକୁ ୨୭୦୦ ଥର କଲ୍‌ କରିଛନ୍ତି ଏହି ମହିଳା, କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ

ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଅଜବ କାରଣ ପାଇଁ ପ୍ରସିଦ୍ଧ ହୋଇପାରିଛନ୍ତି। ଏପରି ଅଜବ କାରଣ ଆଉ ଆଚରଣ ପଛରେ ସମସ୍ତଙ୍କର କିଛି ଉଦ୍ଦେଶ୍ୟ ବି ରହିଥାଏ। ଖ୍ୟାତି ପାଇବା ପାଇଁ ଲୋକମାନେ କିଛି କରନ୍ତି। କିନ୍ତୁ ପୋଲିସ ସହିତ କେହି କେବେ ଏପରି କରିବା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ସାଧାରଣ ପରିବାରର ଜଣେ ମହିଳା ପୋଲିସକୁ ଏମିତି ହଇରାଣ ହରକତ କରିଥିଲେ ଯେ, ତାଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା। ଜଣେ ମହିଳା ପୋଲିସକୁ ୨୭୦୦ ଥର ଫୋନ୍‌ କଲ କରିଥିଲେ। ଏହାର କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ।

ଏହି ମାମଲା ଜାପାନର ଚିବା ପ୍ରଦେଶର ଅଟେ। ଦୁଇ ଦିନ ତଳେ ପୋଲିସ ୫୧ ବର୍ଷୀୟା ନିରୋକୋ ହାଟାଗାମୀଙ୍କୁ ଏଠାରୁ ଗିରଫ କରିଛି। କାରଣ ସେ ପୋଲିସର ଜରୁରୀକାଳିନ ସେବାକୁ ୨୭୦୦ରୁ ଅଧିକ କଲ୍‌ କରିଥିଲେ। ଏଥିସହ ସେ ଅଗ୍ନିଶମ ବିଭାଗର କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଯେତେବେଳେ ତାଙ୍କୁ ପଚରାଉଚରା କରାଯାଇଥିଲା, ସେତେବେଳେ ପୋଲିସ ମଧ୍ୟ ତାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ମହିଳା ଜଣକ କହିଛନ୍ତି, ସେ ଅଗଷ୍ଟ ୨୦୨୦ରୁ ମେ’ ୨୦୨୩ ମଧ୍ୟରେ ପୋଲିସକୁ ୨୭୬୧ କଲ୍‌ କରିଥିଲେ। କେତେବେଳେ ଘରୁ, କେବେ ପାର୍କରୁ, କେବେ ବଜାରରୁ ଏବଂ କେବେ ଅନ୍ୟ ସ୍ଥାନରୁ କଲ୍‌ କରିଛନ୍ତି।

ମହିଳାଙ୍କୁ କାହିଁକି ଏପରି କଲେ ବୋଲି ପ୍ରଶ୍ନ ପଚାରିବାରୁ ସେ ଦେଇଥିବା ଉତ୍ତର ଆଶ୍ଚର୍ଯ୍ୟଜନକ ଅଟେ। ମହିଳା ଜଣକ କହିଥିଲେ, ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ଏକାକୀ ଅନୁଭବ କରୁଥିଲି ଏବଂ ଚାହୁଁଥିଲି ଯେ କେହି ମୋ କଥା ଶୁଣନ୍ତୁ। ମୋ ସହିତ କଥା ହୁଅନ୍ତୁ ମୋର ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତୁ। ଯେତେବେଳେ ବି ମହିଳା ଜଣକ ପୋଲିସକୁ ଫୋନ୍‌ କରୁଥିଲେ, ସେ କହିଥଲେ ଯେ, ତାଙ୍କ ପେଟ ଯନ୍ତ୍ରଣା ହେଉଛି। ଗୋଡ଼ରେ ଯନ୍ତ୍ରଣା ହେଉଛି ଏବଂ ବହୁତ କ୍ଳାନ୍ତ ଅନୁଭବ କରୁଛନ୍ତି। ପୋଲିସ ତାଙ୍କ ଫୋନ୍‌ କଲ୍‌ ପାଇଁ ତାଙ୍କ ନିକଟରେ ପହଞ୍ଚି ସ୍ବାସ୍ଥ୍ୟସେବା ପାଇଁ ଡାକ୍ତରଖାନା ନେବାକୁ କହୁଥିଲା, କିନ୍ତୁ ସେ ଚିକିତ୍ସା କରିବାକୁ ମନା କରିଦେଇଥିଲେ। ସେ ସ୍ପଷ୍ଟ ଭାବରେ କହୁଥିଲେ ଯେ, ମୁଁ କାହାକୁ ଡାକି ନ ଥିଲି। କହିରଖୁଛୁ, ଜାପାନର ୧.୫ ମିଲିୟନରୁ ଅଧିକ ଲୋକ ଏକାକୀ ସମସ୍ୟା ସହ ସଂଘର୍ଷ କରୁଛନ୍ତି।

Share