ସିଟି ବା ହ୍ବିସିଲ ମାରିବାକୁ କେହି କେହି ଖରାପ ବୋଲି କୁହନ୍ତି। ହେଲେ ଏହା ବି ଏକ କଳା। ସମସ୍ତଙ୍କ ପକ୍ଷେ ଏହା ସମ୍ଭବ ନୁହେଁ। କିଛି ବ୍ୟକ୍ତି ହ୍ବିସିଲରେ ଏତେ ସୁନ୍ଦର ଗୀତ ବଜାଇପାରନ୍ତି ଯେ ଶୁଣିବା ଲୋକ ଚକିତ ହୋଇଯାଆନ୍ତି। ପାଟିର ଏହି କଳା ସବୁଆଡେ ବେଶ୍ ଜଣାଶୁଣା। ତେବେ ଜାଣନ୍ତି କି ହ୍ବିସିଲ କେବଳ ପାଟିରେ ବଜାଯାଏ ନାହିଁ, ଜଣେ ମହିଳା ନାକରେ ବି ହ୍ବିସିଲ ମାରିପାରନ୍ତି। କାନାଡାର ଅଣ୍ଟେରିଓରେ ରହୁଥିବା ଲୁଲୁ ଲୋଟସ୍ ହେଉଛନ୍ତି ସେହି ମହିଳା। ଲୁଲୁ ନାକରେ ହ୍ବିସିଲ ବଜାଇ ଗିନିଜ ଓ୍ବାର୍ଲଡ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି। ନାକରେ ସେ ୪୪.୧ ଡେସିବଲ ପିଚ୍ ପର୍ଯ୍ୟନ୍ତ ସିଟି ମାରିପାରନ୍ତି। ଫଳରେ ସେ ନାକରେ ସବୁଠାରୁ ଜୋର୍ ଶବ୍ଦରେ ହ୍ବିସିଲ ମାରିବାର ରେକର୍ଡ କରିଛନ୍ତି। ଲୁଲୁ ୭ ବର୍ଷ ବୟସରେ ହୋଇଥିବାବେଳେ ନିଜ ଭିତରର ଏହି କଳାକୁ ଚିହ୍ନିପାରିଥିଲେ। ସେ କୁହନ୍ତି- ଛୋଟବେଳେ ସ୍କୁଲରେ ପାଠପଢା ହେଉଥିବାବେଳେ ମୁଁ ନାକରେ ଏଭଳି ଶବ୍ଦ ବାହାର କରିପାରୁଥିଲି ଯେ, ଶିକ୍ଷୟିତ୍ରୀ ଶିକ୍ଷକ ଭାବୁଥିଲେ ବାହାରେ ଚଢେଇ ରାବୁଛନ୍ତି। ମୁଁ ଗଳାର ମାଂସପେଶୀକୁ ବ୍ୟବହାର କରି ନାକରୁ ବାହାରୁଥିବା ବାୟୁର ପ୍ୟାଟର୍ନକୁ ନିୟନ୍ତ୍ରଣ କରିପାରେ। ଯଦି ମୁଁ ପାଟି ଖୋଲା ରଖେ ଶବ୍ଦ ପାଟିରୁ ବାହାରେ। ପାଟି ବନ୍ଦ ରଖିଲେ ଶବ୍ଦ ନାକରୁ ବାହାରେ।’ ୨ ଜୁନ ୨୦୨୨ରେ ସେ ନାକରେ ହ୍ବିସିଲ ମାରି ରେକର୍ଡ କରିଥିଲେ। ସେତେବେଳେ ତାଙ୍କ ନାକରୁ ବାହାରୁଥିବା ଶବ୍ଦକୁ ମହଙ୍ଗା ଯନ୍ତ୍ରରେ ରେକର୍ଡ କରାଯାଇଥିଲା। ଆଉ ତାକୁ ମପାଯାଇଥିଲା। ଏହାପୂର୍ବରୁ ସେ ଜାଣି ନ ଥିଲେ ଯେ, ନାକରୁ ବାହାରୁଥିବା ସିଟିକୁ ମପାଯାଏ ବୋଲି। ଯେବେ ଲୁଲୁ ଜାଣିଲେ ସବୁଠାରୁ ଜୋର୍ରେ ନାକରେ ସିଟି ବଜାଇ ସେ ଓ୍ବାର୍ଲଡ ରେକର୍ଡ କରିଛନ୍ତି ସେ ବିଶ୍ୱାସ କରିପାରି ନ ଥିଲେ।