Categories: ଖେଳ

ଦର୍ଶକ ସଂଖ୍ୟାରେ ରେକର୍ଡ ଭାଙ୍ଗିଲା ଚଳିତ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୨ା୧୧(ପି.ଟି.): ସଦ୍ୟ ସମାପିତ ୨୦୨୩ କ୍ରିକେଟ ବିଶ୍ୱକପ୍‌ ଦର୍ଶକ ସଂଖ୍ୟାରେ ରେକର୍ଡ ଭାଙ୍ଗିଛି। ସାଢେ ୬ ସପ୍ତାହ ଧରି ଏହି ବିଶ୍ୱକପ୍‌ ଦର୍ଶକଙ୍କ ମନୋରଞ୍ଜନ କରିଥିବା ବେଳେ ରବିବାର ଅନୁଷ୍ଠିତ ଫାଇନାଲରେ ଆୟୋଜକ ଭାରତକୁ ପରାସ୍ତ କରି ଷଷ୍ଠ ଥର ପାଇଁ ଟାଇଟଲ ହାସଲ କରିଥିଲା ଅଷ୍ଟ୍ରେଲିଆ। ଆଇସିସି ପକ୍ଷରୁ ମଙ୍ଗଳବାର ପ୍ରକାଶିତ ତଥ୍ୟ ଅନୁସାରେ ଟୁର୍ନାମେଣ୍ଟରେ ୬ଟି ମ୍ୟାଚ୍‌ ବାକି ରହିଥିବା ବେଳେ ଏହା ଦର୍ଶକ ସଂଖ୍ୟାରେ ୨୦୧୫ ସଂସ୍କରଣର ଦର୍ଶକ ସଂଖ୍ୟାକୁ ଅତିକ୍ରମ କରିଥିଲା। ବିଶ୍ୱକପ ଶେଷ ହେବା ବେଳକୁ ଏହା ସର୍ବାଧିକ ଦର୍ଶକ ଉପସ୍ଥିତ ଥିବା କ୍ରିକେଟ ବିଶ୍ୱକପ୍‌ ପାଲଟି ଯାଇଥିଲା। ଟୁର୍ନାମେଣ୍ଟ ଶେଷ ହେବା ବେଳକୁ ଷ୍ଟାଡିୟମରେ ମ୍ୟାଚ୍‌ ଦେଖିଥିବା ଦର୍ଶକଙ୍କ ସଂଖ୍ୟା ୧୨,୫୦,୩୦୭ ଅତିକ୍ରମ କରିଥିଲା। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ୨୦୧୫ ବିଶ୍ୱକପ୍‌ରେ ୧୦,୧୬,୪୨୦ ରହିଥିଲା। ସେହିପରି ଇଂଲଣ୍ଡରେ ଖେଳା ଯାଇଥିବା ୨୦୧୯ ସଂସ୍କରଣରେ ଦର୍ଶକଙ୍କ ସଂଖ୍ୟା ୭,୫୨,୦୦୦ ରହିଥିଲା।
୧୦ ଟିମ୍‌ ବିଶିଷ୍ଟ ଏହି ଟୁର୍ନାମେଣ୍ଟରେ ସମୁଦାୟ ୪୮ ମ୍ୟାଚ୍‌ ଖେଳାଯାଇଥିଲା। ସେହିପରି ପ୍ରତି ମ୍ୟାଚ୍‌ରେ ହାରାହାରି ଦର୍ଶକ ସଂଖ୍ୟା ୨୬ ହଜାର ରହିଥିଲା। ୧୯୭୫ରୁ ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଏହାର ୧୩ତମ ସଂସ୍କରଣ ସମାପ୍ତ ହୋଇଛି।

Share