Advertisement

୧୪,୯୩୫ ଛାତ୍ରୀଛାତ୍ର ଦେଇ ନାହାନ୍ତି ନବମ ଶ୍ରେଣୀ ପରୀକ୍ଷା

ଭୁବନେଶ୍ୱର,୧୭।୫(ବ୍ୟୁରୋ): ନବମ ଶ୍ରେଣୀ ପରୀକ୍ଷା ଦେଇନାହାନ୍ତି ୧୪,୯୩୫ ଛାତ୍ରୀଛାତ୍ର। ମଙ୍ଗଳବାର ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ କରିବା ଅବସରରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ତଥ୍ୟ ଦିଆଯାଇଛି।

ଚଳିତ ବର୍ଷ ନବମ ଶ୍ରେଣୀରେ ମୋଟ ୫ ଲକ୍ଷ ୬୬ ହଜାର ୨୬୯ ଜଣ ଛାତ୍ରୀଛାତ୍ର ପଢ଼ୁଥିଲେ। ସେମାନଙ୍କ ମଧ୍ୟରୁ ୫ଲକ୍ଷ ୫୧ ହଜାର ୩୩୪ ଜଣ ପରୀକ୍ଷା ଦେଇଥିଲେ। ବାକି ୧୪,୯୩୫ ଜଣ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ବୋର୍ଡ ପକ୍ଷରୁ ଜାରି ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି । ତେବେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ନ ଦେବା ନେଇ ଜିଲା ଶିକ୍ଷାଧିକାରୀମାନଙ୍କୁ ରିପୋର୍ଟ ମଗାଯିବ। ମେ’ ୩୧ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସେମାନଙ୍କୁ କୁହାଯିବ। ନାଁ ଲେଖାଇଥିବା ସତ୍ତ୍ୱେ ଏହି ପିଲାମାନେ କାହିଁକି ପରୀକ୍ଷାରେ ଅନୁପସ୍ଥିତ ରହିଲେ, ତା’ର ରିପୋର୍ଟ ଦାଖଲ କରିବାକୁ ସେମାନଙ୍କୁ କୁହାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ଅପରପକ୍ଷେ ନବମ ଶ୍ରେଣୀ ପରୀକ୍ଷା ଦେଇଥିବା ୫ ଲକ୍ଷ ୫୧ ହଜାର ୩୩୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୭.୨% ପାସ କରିଛନ୍ତି। ୯୦୩୯ ଜଣ ଛାତ୍ରଛାତ୍ରୀ A୧ ଗ୍ରେଡ ପାଇଥିବା ବେଳେ ୫୮,୯୯୧ ଜଣ A୨, ୧ଲକ୍ଷ ୧୮ ହଜାର ୭୯୨ ଜଣ B୧, ୧ଲକ୍ଷ ୪୫ ହଜାର ୧୬୩ ଜଣ B୨, ୧ଲକ୍ଷ ୯ହଜାର ୫୭୩ C, ୪୬ ହଜାର ୯୭୦ ଜଣ D, ୫ ହଜାର ୩୧୦ ଜଣ E, ୨୭ ହଜାର ୩୫୮ ଜଣ F(I) ଓ ୩୦ ହଜାର ୧୩୮ ଜଣ F(II) ଗ୍ରେଡ ପାଇଛନ୍ତି। ତେବେ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀକୁ ଉନ୍ନୀତ କରାଯାଇଛି। କିନ୍ତୁ F(II) ଗ୍ରେଡ ପାଇଥିବା ୩୦ ହଜାର ୧୩୮ ଜଣ ଛାତ୍ରଛାତ୍ରୀଙ୍କୁ ଇମ୍ପ୍ରୁଭମେଣ୍ଟ ଟେଷ୍ଟ ଦେବାକୁ ପଡ଼ିବ। ସମ୍ପୃକ୍ତ ସ୍କୁଲ ଏହି ପରୀକ୍ଷା କରିବ। ସେମାନେ ଫେଲ ହୋଇଥିବା ପ୍ରତି ବିଷୟରେ କ୍ୱାଲିଫାଇଙ୍ଗ ମାର୍କ (୩୦%) ରଖିବାକୁ ସେମାନଙ୍କୁ ୩ଟି ସୁଯୋଗ ଦିଆଯିବ। ସଂପୃକ୍ତ ସ୍କୁଲ ଗୁ ଏହି ପିଲାମାନଙ୍କୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ପାଇବେ। ତା’ପରେ ଜୁନ୧, ୮ ଓ ୧୬ରେ ଇମ୍ପ୍ରୁଭମେଣ୍ଟ ଟେଷ୍ଟ କରାଇବେ। ଯେଉଁମାନେ ପ୍ରଥମ ଇମ୍ପ୍ରୁଭମେଣ୍ଟ ଟେଷ୍ଟରେ କ୍ୱାଲିଫାଇ ନ କରିବେ ସେମାନେ ଦ୍ୱିତୀୟ ଟେଷ୍ଟ ଦେବେ। ସେଥିରେ ବି କ୍ୱାଲିଫାଇ ନହେଲେ ତୃତୀୟ ଟେଷ୍ଟ ଦେବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share