Categories: ଫୁରସତ

ଦେଶର ସୁରକ୍ଷା ବାୟୁସେନା ହାତରେ

ଭାରତୀୟ ବାୟୁସେନା କେବଳ ଭାରତ ଭୂଖଣ୍ଡର ରକ୍ଷା କରେ ନାହିଁ, ସମସ୍ତ ପ୍ରକାର ବିପଦରୁ ଦେଶକୁ ସୁରକ୍ଷା ପ୍ରଦାନ କରେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସାହାଯ୍ୟ କରେ। ଯୁଦ୍ଧକ୍ଷେତ୍ରରେ ଭାରତୀୟ ସେନାକୁ ସମସ୍ତ ପ୍ରକାର ସମର୍ଥନ ଯୋଗାଇଥାଏ। ଆକାଶ ମାର୍ଗକୁ ସୁରକ୍ଷା ଦେବା, ମାନବିକ ସହାୟତା ତଥା ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ବାୟୁସେନାର ବଳିଷ୍ଠ ଯୋଗଦାନ ରହିଛି। ବାୟୁସେନା ଭାରତୀୟ ସଶସ୍ତ୍ର ବାହିନୀର ଏକ ଅଭିନ୍ନ ଅଙ୍ଗ। ସ୍ବାଧୀନତା ପରଠାରୁ ଭାରତୀୟ ବାୟୁସେନା ୪ଟି ଯୁଦ୍ଧରେ ସାମିଲ ହୋଇସାରିଛି ।

ସେଥିମଧ୍ୟରୁ ତିନୋଟି ପାକିସ୍ତାନ ବିରୋଧରେ ଏବଂ ଗୋଟିଏ ଚାଇନା ବିରୋଧରେ ରହିଛି । ଏହା ବ୍ୟତୀତ ଜାତିସଂଘର ଶାନ୍ତିରକ୍ଷା କାର୍ଯ୍ୟରେ ଭାରତୀୟ ବାୟୁସେନା ମଧ୍ୟ ସହଯୋଗ କରିଛି । ଭାରତୀୟ ସୀମାକୁ ଅକ୍ଷୁଣ୍ଣ ରଖିବା ପାଇଁ ବାୟୁସେନାର ଉଦ୍ୟମ ପ୍ରଶଂସନୀୟ। ଆମେରିକା, ଚାଇନା ଓ ରୁଷିଆ ପରେ ବିଶ୍ବର ଚତୁର୍ଥ ସର୍ବବୃହତ୍‌ ବାୟୁଶକ୍ତି ହେଉଛି ଭାରତୀୟ ବାୟୁସେନା ୮ ଅକ୍ଟୋବର ୧୯୩୨ରେ ପ୍ରତିଷ୍ଠା ହୋଇଥିଲା ବାୟୁସେନା, ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ଦିନକୁ ପ୍ରତିବର୍ଷ ବାୟୁସେନା ଦିବସ ଭାବେ ପାଳନ କରାଯାଏ। ଏହି ଦିବସ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ପରେଡ ଓ ଭବ୍ୟ ଏୟାର ଶୋ’ର ଆୟୋଜନ କରାଯାଇଥାଏ।ଏହି ଦିନ ବ୍ରିଟିଶ ସାମ୍ରାଜ୍ୟ ଦ୍ୱାରା ଔପଚାରିକ ଭାବେ ଭାରତୀୟ ବାୟୁ ସେନାର ସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ଭାରତୀୟ ବାୟୁସେନା ୯୧ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଭାରତୀୟ ବାୟୁସେନା ୧୯୩୩ ମସିହା ଏପ୍ରିଲ ୧ରେ ପ୍ରଥମ ଥର ପାଇଁ ନିଜର ପ୍ରତିଷ୍ଠାକୁ ଜାହିର କରିଥିଲା। ବ୍ରିଟିଶ ସାମ୍ରାଜ୍ୟର ବାୟୁସେନାର ୟୁନି୍‌ଟ ଭାବରେ ଭାରତୀୟ ବାୟୁସେନାର ପ୍ରତିଷ୍ଠା କରାଯାଇଥିଲା।

ଦ୍ବିତୀୟ ବିଶ୍ବଯୁଦ୍ଧରେ ବାୟୁସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଏହାକୁ ରୟାଲ ଇଣ୍ଡିଆନ ଏୟାର ଫୋର୍ସ ଭାବେ ବିଶ୍ବ ଦରବାରରେ ପରିଚିତ କରାଯାଇଥିଲା। କିନ୍ତୁ ସ୍ବାଧୀନତାର ୩ବର୍ଷ ପରେ ୧୯୫୦ ମସିହାରେ ଏହାକୁ ହଟାଇ ଦିଆଯାଇଥିଲା। ସେବେଠାରୁ ଏହା ଭାରତୀୟ ବାୟୁସେନା ନାମରେ ନାମିତ ହୋଇଛି। ପୂର୍ବରୁ ଦିଲ୍ଲୀର ପାଲାମ ବିମାନବନ୍ଦରରେ ବାୟୁସେନା ଦିବସ ପାଳନର ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ମାତ୍ର ୨୦୦୬ ପରଠାରୁ ଉତ୍ତରପ୍ରଦେଶ ଗାଜିଆବାଦସ୍ଥିତ ହିଣ୍ଡନ୍‌ ଏୟାର ବେସ୍‌ରେ ଏହା ପାଳନ କରାଯାଉଛି।

Share