ଚଳିତ ବର୍ଷ ଚାକିରି ସଂଖ୍ୟା ୫.୨ କୋଟି କମିବ, ୨.୧ କୋଟିରୁ ଅଧିକ ହେବେ ବେରୋଜଗାର …

ନୂଆଦିଲ୍ଲୀ, ୧୯।୧ : ଦେଶରେ କରୋନା ସଂକ୍ରମଣ ଯୋଗୁ ଦିନ କୁ ଦିନ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଚଳିତ ୨୦୨୨ରେ କରୋନା ମହାମାରୀ ଯୋଗୁ ବେକାରି ସମସ୍ୟା ପୁଣି ବଢ଼ିବାର ଆଶଙ୍କା ରହିଛି। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ) ଦ୍ୱାରା ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ମହାମାରୀ ପ୍ରଭାବ ଯୋଗୁ ନିଯୁକ୍ତିରେ ଦୁଇ ପ୍ରତିଶତ ହ୍ରାସ ଘଟିବ।

ଫଳରେ ଚାକିରି ସଂଖ୍ୟା ୫.୨ କୋଟି କମିବ। ରିପୋର୍ଟ ଅନୁଯାୟୀ, ୨୦୨୨ରେ ବେକାରଙ୍କ ସଂଖ୍ୟା ୨୦.୭ କୋଟିରୁ ଅଧିକରେ ପହଞ୍ଚିପାରେ। ଏହି ସଂଖ୍ୟା ୨୦୧୯ ବର୍ଷ ତୁଳନାରେ ୨.୧ କୋଟି ଅଧିକ।

୨୦୨୩ ସୁଦ୍ଧା ବଶ୍ୱସ୍ତରରେ ବେକାରି ସଂଖ୍ୟା ପୂର୍ବ-ମହାମାରୀ ସ୍ତରଠାରୁ ଅଧିକ ରହିପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି॥ ଆଇଏଲଏର ମହାନିର୍ଦ୍ଦେଶକ ଗାଇ ରାଇଡର୍‌ କହିଛନ୍ତି ଯେ କରୋନା ମହାମାରୀ ସଙ୍କଟର ଦୁଇ ବର୍ଷ ବିତିବା ପରେ ମଧ୍ୟ ପରିସ୍ଥିତି ସଙ୍କଟ ଜନକ ରହିଛି।

ପୁନରୁଦ୍ଧାରର ଧାରା ମନ୍ଥର ଏବଂ ଅନିଶ୍ଚିତତାରେ ପରିପୂର୍ଣ୍ଣ ବୋଲି ସେ କହିଛନ୍ତି। ଅନେକ ଶ୍ରମିକଙ୍କୁ ନୂତନ ପ୍ରକାରର କାର୍ଯ୍ୟ କରିବାକୁ ପଡୁଛି।

ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ରୋଜଗାର ଉପରେ ସମୁଦାୟ ପ୍ରଭାବ ଆନୁମାନିକ ଆକଳନଠାରୁ ଅଧିକ ହୋଇପାରେ। ଏହାର କାରଣ ହେଉଛି ବହୁ ସଂଖ୍ୟକ ଲୋକ ଶ୍ରମଶକ୍ତି ଛାଡିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ୨୦୨୨ରେ ଶ୍ରମଶକ୍ତିର ଯୋଗଦାନ ୨୦୧୯ ତୁଳନାରେ ୧.୨ ପ୍ରତିଶତ କମ ହୋଇପାରେ। ଏହା ଡେଲ୍‌ଟା ଏବଂ ଓମିକ୍ରନ ଭାରିଆଣ୍ଟ ଯୋଗୁ ସୃଷ୍ଟି ହେବାର ଆଶଙ୍କା ରହିଛି।

ରିପୋର୍ଟରେ କୁହାଯାଇଛି ଯେ କରୋନା ସଂକ୍ରମଣ ଯୋଗୁ ପ୍ରାୟ ପ୍ରତ୍ୟେକ ଦେଶରେ ଅର୍ଥନୈତିକ, ଆର୍ଥିକ ଏବଂ ସାମାଜିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ଏହି କ୍ଷତିର ପୁନରୁଦ୍ଧାର ପାଇଁ ବହୁ ବର୍ଷ ଲାଗିପାରେ। ରିପୋର୍ଟ ଅନୁଯାୟୀ, ଉଚ୍ଚ ଆୟକାରୀ ଦେଶମାନଙ୍କରେ ପୁନରୁଦ୍ଧାର ଦ୍ରୁତ ହେଉଥିବାବେଳେ ନିମ୍ନ ମଧ୍ୟବିତ୍ତ ଅର୍ଥନୀତିଗୁଡିକ ସବୁଠାରୁ ଖରାପ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି।

Share