ଚଳିତ ବର୍ଷ ୭ ଲକ୍ଷ ପକ୍କାଘର ଟାର୍ଗେଟ୍‌

ଭୁବନେଶ୍ୱର,୧୧।୮(ବ୍ୟୁରୋ)ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ୭ ଲକ୍ଷ ପକ୍କା ଘର ନିର୍ମାଣ କରାଯିବ। ଅଗଷ୍ଟ ୫ ସୁଦ୍ଧା ରାଜ୍ୟରେ ୧ ଲକ୍ଷ ଘର ନିର୍ମାଣ ଶେଷ ହୋଇଛି। ଗତ ଆର୍ଥିକ ବର୍ଷ ଏହି ସମୟ ସୁଦ୍ଧା ୪୪ ହଜାର ପକ୍କା ଘର ନିର୍ମାଣ ହୋଇଥିଲା। ସୋମବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀଙ୍କ ଅଧ୍ୟତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି।
ରାଜ୍ୟରେ କୋଭିଡ୍‌ ମହାମାରୀ ଯୋଗୁ ଅନେକ ସମୟ ଶଟ୍‌ଡାଉନ ଓ ଲକ୍‌ଡାଉନ ପାଇଁ ଗୃହ ନିର୍ମାଣ କାର୍ଯ୍ୟରେ କିଛିଟା ବିଳମ୍ବ ହୋଇଥିଲା। ଏହାସତ୍ତ୍ୱେ ଗ୍ରାମାଞ୍ଚଳ ପକ୍କାଘର ଯୋଜନାରେ ଘର ନିର୍ମାଣ ଆଶାନୁରୂପ ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା। ଧାର୍ଯ୍ୟ ସମୟ ମଧ୍ୟରେ ଲକ୍ଷ୍ୟ ପୂରଣ କରିବା ସହ ଅପେକ୍ଷାରତ ହିତାଧିକାରୀଙ୍କ ପାଇଁ ଗୃହ ତାଲିକା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗୃହଗୁଡ଼ିକର ମାନ ଯେପରି ଠିକ୍‌ ରହିବ, ତା’ଉପରେ କଡ଼ା ନଜର ରଖିବା ପାଇଁ ବ୍ଲକସ୍ତରୀୟ ଅଧିକାରୀଙ୍କୁ କୁହାଯାଇଛି। ପଞ୍ଚାୟତିରାଜ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପାଟିଲ ସୂଚନା ଦେଇ କହିଥିଲେ ଯେ, ଆହୁରି ୫୭ ହଜାର ପରିବାରଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ଏମାନଙ୍କର ଘର କରିବା ପାଇଁ ଡିହ ନ ଥିବାରୁ ସେମାନଙ୍କୁ ତୁରନ୍ତ ଘର ଉପଯୋଗୀ ଜମି ଯୋଗାଇଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ମିଳିଥିବା ସୂଚନା ଅନୁଯାୟୀ ୨୦୨୦ ଅଗଷ୍ଟ ସୁଦ୍ଧା ରାଜ୍ୟରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଦୈନିକ ୮.୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି। ଚଳିତ ମାସ ଶେଷ ସୁଦ୍ଧା ଦିନକୁ ଆହୁରି ୧୫ ଶ୍ରମ ଦିବସ ସୃଷ୍ଟି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମାଞ୍ଚଳରେ ବର୍ଷା ଋତୁରେ ୫ରୁ ୬ଟି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଜିଲାପାଳମାନଙ୍କୁ କୁହାଯାଇଛି। ଏହି ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଦେଓରଞ୍ଜନ କୁମାର ସିଂ ଯୋଗ ଦେଇଥିଲେ।

Share