Categories: ଖେଳ

ଡୋପ୍‌ ଟେଷ୍ଟରେ ବିଫଳ ହୋଇ ୨ ବର୍ଷ ବାସନ୍ଦ ହେଲେ ଏହି ଯୁବ କ୍ରିକେଟର୍‌

ଢାକା, ୨୭।୭: ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ଯୁବ ଦ୍ରୁତ ବୋଲର କାଜି ଅନିକ୍‌ ଇସ୍‌ଲାମଙ୍କୁ ୨ ବର୍ଷ ଲାଗି ବାସନ୍ଦ କରିଛି। ୨୦୧୮ରେ ହୋଇଥିବା ଏକ ଡୋପ୍‌ ଟେଷ୍ଟରେ କାଜି ବିଫଳ ହେବାରୁ ବିସିବି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ୨୦୧୮ରେ ଅନୁଷ୍ଠିତ ହୋଇଥିବା ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍‌ରେ କାଜି ବାଂଲାଦେଶ ପକ୍ଷରୁ ସର୍ବାଧିକ ଉଇକେଟ୍‌ ହାସଲକାରୀ ବୋଲର ରହିଥିଲେ। ସେହିବର୍ଷ ଜାତୀୟ କ୍ରିକେଟ୍‌ ଲିଗ୍‌ ସମୟରେ ହୋଇଥିବା ଡୋପ୍‌ ଟେଷ୍ଟରେ କାଜିଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ସେ ମେଥାମଫେଟାମାଇନ ନାମକ ଏକ ନିଷିଦ୍ଧ ପଦାର୍ଥ ସେବନ କରିଥିବା ଜଣାପଡ଼ିଥିଲା। ୨୧ ବର୍ଷୀୟ ଏହି ବାଂଲାଦେଶ ଦ୍ରୁତ ବୋଲର ନିଜ ଦୋଷ ମଧ୍ୟ ସ୍ବୀକାର କରିଛନ୍ତି। ତାଙ୍କର ୨ ବର୍ଷର ବାସନ୍ଦାଦେଶ ୮ ଫେବ୍ରୁୟାରୀ ୨୦୧୯ରୁ ଆରମ୍ଭ ହେବ। କାଜି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବାଦ୍‌ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ମଧ୍ୟ ପ୍ରତିନିଧିତ୍ୱ କରି ୧୫ ଉଇକେଟ୍‌ ନେଇଛନ୍ତି।

Share