ବାଇଡେନ୍‌ଙ୍କ ତଣ୍ଟିରେ କଣ୍ଟା…

ଓ୍ବାଶିଟନ, ୨୩।୮: ଆଫଗାନିସ୍ତାନରୁ ସୈନ୍ୟ ଫେରାଇ ଆଣିବା ଘଟଣାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅଡୁଆରେ ପଡ଼ିଛନ୍ତି। ତାଙ୍କ ତଣ୍ଟିରେ କଣ୍ଟା ଅଟକି ଥିବା ପରି ଅବସ୍ଥା ସୃଷ୍ଟି ହୋଇଛି। ଏବେ ତାଲିବାନର ନାଲି ଆଖି ସତ୍ତ୍ୱେ ମଧ୍ୟ ସେ ସୈନ୍ୟଙ୍କୁ ସ୍ବଦେଶ ଫେରାଇ ଆଣିବା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି ହୋଇଛି। ତାଙ୍କ ମିତ୍ର ରାଷ୍ଟ୍ରଙ୍କ ମଧ୍ୟରୁ ବିଟ୍ରେନ ସମେତ କିଛି ଦେଶ ସୈନ୍ୟ ଫେରାଇ ଆଣିବାକୁ ବିରୋଧ କରୁଛନ୍ତି। ସେମାନେ କାବୁଲରେ ସୈନ୍ୟଙ୍କୁ ରଖିବା ସପକ୍ଷରେ ରହିଛନ୍ତି। ଜି-୭ ରାଷ୍ଟ୍ରପକ୍ଷରୁ ଆଫଗାନିସ୍ତାନରୁ ସୈନ୍ୟ ଫେରାଇ ଆଣିବାକୁ ପସନ୍ଦ କରାଯାଉ ନାହିଁ। ଏପରିସ୍ଥଳେ ଯଦି ବାଇଡେନ୍‌ ଜି-୭ ଚାପରେ କାବୁଲରେ ସୈନ୍ୟଙ୍କୁ ଅଟକାଉଛନ୍ତି ତେବେ ବିମାନ ବନ୍ଦରରେ ତାଲିବାନର ଧମକର ସମ୍ମୁଖୀନ ହେବାକୁ ପଡିବ। ଫଳରେ ଏହାକୁ ଦେଇ ବାଇଡେନ୍‌ ସଙ୍କଟ ଜନକ ସ୍ଥିତିରେ ପଡ଼ିଛନ୍ତି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଏହି ପ୍ରସଙ୍ଗରେ ଜି-୭ ରାଷ୍ଟ୍ର ସମୂହର ବୈଠକ ଡକାଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ସୈନ୍ୟଙ୍କୁ ସେଠାରେ କିଛି ଦିନ ରହିବା ଉପରେ ସେ ପ୍ରସ୍ତାବ ରଖିବାର ସମ୍ଭାବନା ରହିଛି। ପୂର୍ବରୁ ବାଇଡେନ୍‌ ସେପ୍ଟେମ୍ବର ୧୧ ସୁଦ୍ଧା ସୈନ୍ୟ ଫେରାଇ ଆଣିବାକୁ କହିଥିଲେ। ତେବେ ପରବର୍ତ୍ତୀ ସମୟରେ ଏହାକୁ ଅଗଷ୍ଟ ୩୧ ଧାର୍ଯ୍ୟ କରିଥିଲେ। ସୂଚନାଯୋଗ୍ୟ, ସମ୍ପ୍ରତି ଆଫଗାନିସ୍ତାନରେ ୬ ହଜାର ସୈନ୍ୟ ଥିବାବେଳେ ବ୍ରିଟେନ୍‌ର ଏକ ହଜାରରୁ ଅଧିକ ସୈନ୍ୟ ରହିଛନ୍ତି। ସେହିପରି ନାଟୋ ମିତ୍ରଶକ୍ତିର ଭିନ୍ନ ଭିନ୍ନ ରାଷ୍ଟ୍ର ମଧ୍ୟ ନିଜ ନିଜ ସୈନ୍ୟ ବାହିନୀଙ୍କୁ ଆଫଗାନିସ୍ତାନରେ ମୁତୟନ କରିଛନ୍ତି। ନିଜ ନିଜ ନାଗରିକଙ୍କୁ ସୁରକ୍ଷିତ ସୁଦେଶ ଫେରାଇ ଆଣିବା ସମ୍ପୃକ୍ତ ଦେଶମାନେ ଏହା ମାଧ୍ୟମରେ ଉଦ୍ୟମ କରୁଛନ୍ତି।

Share