କରୋନା ଲଢ଼େଇ ବାଟରେ କଣ୍ଟା: ୬୪ ପ୍ରତିଶତ ଲୋକେ ଖାଇବା ପୂର୍ବରୁ ହାତ ଧୋଇବା ଭୁଲି ଯାଉଛନ୍ତି

ନୂଆଦିଲ୍ଲୀ, ୨୯।୭: ଭାରତରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ନିୟମିତ ବ୍ୟବଧାନରେ ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ମାସ୍କ୍‌ ପିନ୍ଧିବା ନେଇ ମାର୍ଗଦର୍ଶିକା ଜାରି କରାଯାଇଛି। ଦେଶର ୬୪ ପ୍ରତିଶତ ଲୋକ ଏବେ ବି ଖାଇବା ପୂର୍ବରୁ ହାତ ଧୋଇବା ଭୁଲି ଯାଉଛନ୍ତି। ଏନ୍‌ଏସ୍‌ଏସ୍‌ଓ ପକ୍ଷରୁ ସମ୍ପନ୍ନ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏସମ୍ପର୍କରେ ଉଲ୍ଲେଖ କରାଯାଇଛି। କେବଳ ୩୬ ପ୍ରତିଶତ ଲୋକ ହାତ ଧୋଉଛନ୍ତି। ସେହିପରି ୪୮.୩ ପ୍ରତିଶତ ଲୋକଙ୍କ ପାଖରେ ହାତଧୋଇବା ପାଇଁ ପାଣି ନାହିଁ। ୧୩.୪ ପ୍ରତିଶତ ପରିବାର ଶୌଚ ପରେ କେବଳ ପାଣିରେ ହିଁ ହାତ ଧୋଇଥାନ୍ତି। ୨୦ ପ୍ରତିଶତ ପରିବାର ବାହାରେ ଶୌଚ ହୋଇଥାନ୍ତି। ସେହିପରି ଭାରତରେ ହାରାହାରି ଜନସଂଖ୍ୟା ସାନ୍ଦ୍ରତା ଅଧିକ ରହିଛି। ଦେଶରେ ପ୍ରତି ଏକ ବର୍ଗ କିଲୋମିଟରରେ ୪୫୫ ଜଣ ଲୋକ ରହିଥାନ୍ତି। ଅପରପକ୍ଷରେ ଚାଇନାରେ ଏହା ୧୪୮ ଥିବାବେଳେ ପାକିସ୍ତାନରେ ୨୭୫ ରହିଥିବା ବିଶ୍ୱ ବ୍ୟାଙ୍କ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହାଦ୍ୱାରା କରୋନା ମହାମାରୀ ସମୟରେ ସାମାଜିକ ଦୂରତା ବଜାୟ ରଖିବା ସମ୍ଭବ ହେଉ ନ ଥିବା ଏନ୍‌ଏସ୍‌ଏସ୍‌ଓ ରିପୋର୍ଟରେ ଦର୍ଶାଯାଇଛି।

Share