Categories: ଜାତୀୟ

‘ମଦ୍ୟପାନ କରୁଥିବା ଲୋକେ ମହାପାପି’

ପାଟଣା,୩୧।୩: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଦ୍ୟପାନ କରୁଥିବା ଲୋକଙ୍କୁ ମହାପାପି କହିଛନ୍ତି। ଏଥିସହିତ ବିଷାକ୍ତ ମଦ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ରିଲିଫ ଯୋଗାଇ ଦେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ମହାତ୍ମା ଗାନ୍ଧୀ ମଦ୍ୟପାନକୁ ବିରୋଧ କରିଥିଲେ ଏବଂ ଯେଉଁମାନେ ଗାନ୍ଧୀଙ୍କ ନୀତି ବିରୋଧରେ ଚାଲୁଛନ୍ତି, ସେମାନେ ମହାପାପି। ମୋ ମତରେ ସେମାନେ ଭାରତୀୟ ନୁହନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମଦ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ଜାଣିବା ପରେ ମଧ୍ୟ ଲୋକେ ବିଷାକ୍ତ ମଦ୍ୟପାନ କରୁଛନ୍ତି। ଏଣୁ ପରିଣାମ ଲାଗି ରାଜ୍ୟ ସରକାର ନୁହେଁ, ବରଂ ସେମାନେ ଦାୟୀ। ଏହା ସେମାନଙ୍କ ଭୁଲ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବୁଧବାର ବିହାର ବିଧାନସଭାରେ ମଦ ବ୍ୟାନ ଆଇନରେ ଏକ ସଂଶୋଧିତ ବିଲ ପାରିତ ହେଲା ବେଳେ ମୁଖ୍ୟମନ୍ତ୍ରୀ ନୀତିଶ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ରାଜ୍ୟ ସରକାର ମଦ ବ୍ୟାନକୁ ଠିକ୍‌ ଭାବେ କାର୍ଯ୍ୟକାରୀ ନ କରିବାରୁ ବିହାରରେ ବାରମ୍ବାର ମଦ ମୃତ୍ୟୁ ଘଟଣା ଘଟୁଥିବା ବିରୋଧୀ ଅଭିଯୋଗ କରୁଛନ୍ତି।

Share