ଭିସୁଟ୍‌ର ହେବ ନବକଳେବର: ହଜାରେ କୋଟିର ଘୋଷଣା

ସମ୍ବଲପୁର,୨୫ା୮(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)କୁ ସେଣ୍ଟର ଅଫ୍‌ ଏକ୍ସଲେନ୍ସିରେ ପରିଣତ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ହଜାରେ କୋଟି ଟଙ୍କାର ବ୍ୟୟବରାଦ କରାଯିବ। ଗୁରୁବାର ସମ୍ବଲପୁର ଗସ୍ତରେ ଆସି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ମୁଖ୍ୟ ଶାସନ ସଚିବ ମହାପାତ୍ରଙ୍କ ସମେତ ୫ଟି ସଚିବ ଭି. କେ. ପାଣ୍ଡିୟାନ ଓ ଶିଳ୍ପ ବିଭାଗ ପ୍ରମୁଖ ସଚିବ ଗସ୍ତରେ ଆସିଥିଲେ। ପୂର୍ବାହ୍ନରେ ଜମାଦାରପାଲି ଏୟାର ଷ୍ଟ୍ରିପରେ ବିମାନରୁ ଅବତରଣ କରି ଏହି ଟିମ୍‌ ପ୍ରଥମେ ଭିସୁଟ୍‌କୁ ଯାଇଥିଲା। ସେଠାରେ କୁଳପତି ପ୍ରଫେସର ବଂଶୀଧର ମାଝି ଓ ବିଭିନ୍ନ ବିଭାଗର ଅଧ୍ୟାପକ, ଛାତ୍ରୀଛାତ୍ରଙ୍କ ସହ ବୈଠକ କରି ଆଲୋଚନା କରିଥିଲେ। ଏହି ଅନୁଷ୍ଠାନକୁ ଉତ୍କର୍ଷତାର କେନ୍ଦ୍ର ଭାବେ କିଭଳି ପରିଣତ କରାଯିବ ସେ ନେଇ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଭିସୁଟ୍‌ର ନବକଳେବର ପାଇଁ ପ୍ରଥମ ପର୍ଯ୍ୟାୟରେ ୧ ହଜାର କୋଟି ଟଙ୍କା ଦେବାକୁ ଘୋଷଣା କରାଯାଇଛି।

Share