Categories: ଜାତୀୟ

ବେଙ୍ଗାଲୁରୁ ବନ୍ଦ ବେଳେ ହଜାରେ ଅଟକ

ବେଙ୍ଗାଲୁରୁ,୨୭ା୯: ତାମିଲନାଡୁକୁ କାବେରୀ ଜଳ ଛାଡ଼ିବାକୁ ବିରୋଧକରି କର୍ନାଟକ ଜଳ ସଂରକ୍ଷଣ ସମିତି (କେଜେଏସ୍‌ଏସ୍‌) ପକ୍ଷରୁ ମଙ୍ଗଳବାର ବେଙ୍ଗାଲୁରୁ ବନ୍ଦ ଡାକରା ଦିଆଯାଇଥିଲା। ଏହି ବନ୍ଦକୁ ଜନସାଧାରଣ ସ୍ବେଚ୍ଛାକୃତ ଭାବେ ସମର୍ଥନ ଜଣାଇଛନ୍ତି। ଫଳରେ ସହରରେ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି। ସକାଳର ଗହଳି ସମୟରେ ବେଙ୍ଗାଲୁରୁର ମୁଖ୍ୟ ରାସ୍ତାଗୁଡ଼ିକ ଜନଶୂନ୍ୟ ହୋଇଯାଇଥିବାବେଳେ ଦୋକାନ ବଜାର, ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିଥିଲା। ରାମନଗରରେ କନ୍ନଡ କର୍ମୀମାନେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଫଟୋରେ ଶ୍ରଦ୍ଧାଞ୍ଜଳି ଦେଇ ସେମାନଙ୍କ କ୍ରୋଧ ଜଣାଇଥିଲେ। ବନ୍ଦ ବେଳେ କୃଷକ ନେତାଙ୍କ ସମେତ ୧,୦୦୦ରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କୁ ପୋଲିସ ଅଟକ ରଖିଛି। ସାରା ସହରରେ ୧୪୪ ଧାରା ଜାରି ହୋଇଥିବା ବେଙ୍ଗାଲୁରୁ ପୋଲିସ କମିଶନର ବି. ଦୟାନନ୍ଦ କହିଛନ୍ତି। କଟକଣା ଓ କୋର୍ଟଙ୍କ ନିର୍ଦ୍ଦେଶ ଯୋଗୁ ସହରରେ କୌଣସି ବନ୍ଦ କିମ୍ବା ଶୋଭାଯାତ୍ରାକୁ ଅନୁମତି ଦିଆଯାଇ ନ ଥିଲା।
କାବେରୀ ନଦୀଜଳ ବଣ୍ଟନ ପ୍ରସଙ୍ଗକୁ ନେଇ ତାମିଲନାଡୁ ଓ କର୍ନାଟକ ମଧ୍ୟରେ ବହୁ ଦଶନ୍ଧି ହେଲା ବିବାଦ ଲାଗିରହିଛି। ସେପ୍ଟେମ୍ବର ୧୩ରୁ ୧୫ ଦିନ ପାଇଁ ତାମିଲନାଡୁକୁ ୫,୦୦୦ କ୍ୟୁସେକ୍‌ ଜଳ ଛାଡ଼ିବା ପାଇଁ କାବେରୀ ଜଳ ପରିଚାଳନା କର୍ତ୍ତୃପକ୍ଷ (ସିଡବ୍ଲ୍ୟୁଏମ୍‌ଏ) କର୍ନାଟକକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କର୍ନାଟକ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବାବେଳେ ଉକ୍ତ ପିଟିଶନ ଖାରଜ ହୋଇଯିବାରୁ ବିବାଦ ବଢ଼ିଛି। କର୍ନାଟକରେ ପାନୀୟ ଜଳ ଓ ଜଳସେଚନ ପାଇଁ ନଦୀଜଳର ଆବଶ୍ୟକତା ଜରୁରୀ ଥିବାରୁ ଏହା ତାମିଲନାଡୁକୁ ଜଳ ଛାଡ଼ିବା ସ୍ଥିତିରେ ନ ଥିବା କହିଛି।

Share