ସଫଳତାର ସହ ପ୍ରତିରୋପଣ ହେଲା ନେତାନ୍ୟାହୁଙ୍କ ପେସ ମେକର

ଜେରୁଜେଲମ,୨୩।୭: ଇସ୍ରାଏଲରେ ନ୍ୟାୟିକ ସଂସ୍କାର ବିଲ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ନ୍ୟାୟିକ ସଂସ୍କାର ବିଲ ଉପରେ ପୂର୍ବରୁ ଏକ ଅଘଟଣ ଘଟିଛି। ଆସନ୍ତା ସପ୍ତାହ ଆରମ୍ଭରେ ଏହି ବିଲ ଉପରେ ଚୂଡ଼ାନ୍ତ ଭୋଟ ଅନୁଷ୍ଠିତ ହେବ। ବିକ୍ଷୋଭକାରୀମାନେ ନେସେଟ ନିକଟରେ ଏକ ଯେଣ୍ଟ ସିଟି ସ୍ଥାପନ କରିଛନ୍ତି। ଏହି ସମୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ରବିବାର ସକାଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ହୃଦସ୍ପନ୍ଦନ ଅନିୟମିତ ବୋଲି ଜଣାପଡିଥିଲା। ଏହାପରେ ରବିବାର ତାଙ୍କର ପେସମେକର ଲାଗିବା ସହ ଅସ୍ତ୍ରୋପଚାର ସଫଳ ହୋଇଥିବା ଜଣାପଡିଛି। ନେତାନ୍ୟାହୁଙ୍କ ପେସମେକର୍‌ ଟ୍ରାନ୍ସପ୍ଲାଣ୍ଟ ଅପରେସନ ରବିବାର ସକାଳେ ରାମତ ଗନ ସ୍ଥିତ ଶେବା ମେଡିକାଲ ସେଣ୍ଟରରେ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ ନେତାନ୍ୟାହୁଙ୍କ ଅପରେସନ ସମୟରେ ଉପପ୍ରଧାନମନ୍ତ୍ରୀ ତଥା ଆଇନ ମନ୍ତ୍ରୀ ୟାରିଭ ଲେଭିନ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ,ଗତ ସପ୍ତାହରେ ୭୩ ବର୍ଷିୟ ନେତାନ୍ୟାହୁ ଗଲିଲ ସମୁଦ୍ରକୁ ଯାତ୍ରା ସମୟରେ ଭିଷଣ ଗରମରେ କିଛି ଘଣ୍ଟା ରହିବାରୁ ତାଙ୍କ ମୁଣ୍ଡ ବୁଲାଇଥିଲା ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ଏକ ଉପକରଣ ସାହାଯ୍ୟରେ ତାଙ୍କର ହୃଦସ୍ପନ୍ଦନ ଉପରେ ନଜର ରଖାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ ଏହି ଅପରେସନ ସଫଳ ହୋଇଛି ଏବଂ ନେତାନ୍ୟାହୁ ଭଲ ଅନୁଭବ କରୁଛନ୍ତି ଏବଂ ରବିବାର ଦିନ ଡାକ୍ତରଖାନାରୁ ଛୁଟି ମିଳିବାର ଆଶା କରାଯାଉଛି।

Share