Categories: ଫୁରସତ

କୂଅରେ ଦେଖାଗଲେ ହଜାର ହଜାର ସଂଖ୍ୟକ ସାପ

ଛତ୍ରପୁର, ୧୦।୮: ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶ ସୀମାନ୍ତ ଛତ୍ରପୁର ଜିଲାରେ ଚକିତ କଲାଭଳି ଏକ ଘଟଣା ଦେଖିବାକୁ ମିଳିଛି। ଜିଲାର ହର୍‌ପାଲପୁର ଅନ୍ତର୍ଗତ ଭଣ୍ଡାର ଗ୍ରାମର ଏକ ରାସ୍ତା ପାର୍ଶ୍ୱସ୍ଥ କୂଅରେ ଅଚାନକ ହଜାର ହଜାର ସଂଖ୍ୟକ ସାପକୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏତେ ସଂଖ୍ୟକ ସାପଙ୍କୁ ଦେଖିବା ଲାଗି କୂଅ ଚାରିପାଖେ ଗ୍ରାମବାସୀଙ୍କ ପ୍ରବଳ ଭିଡ଼ ଜମିଥିଲା। ଗୋଟିଏପଟେ ଗ୍ରାମବାସୀ ହଜାରେ ହଜାରେ ସଂଖ୍ୟକ ସାପକୁ ଦେଖି ଭୟଭୀତ ହୋଇଯାଇଥିବାବେଳେ ଅନ୍ୟପଟେ ଏକଥା ଶୁଣୁଥିବା ଲୋକଙ୍କ ମନରେ କୌତୁହଳ ସୃଷ୍ଟି ହୋଇଛି। ଯେଉଁଥି ପାଇଁ ଦୂର ଦୂରାନ୍ତରୁ ଅନେକ ସଂଖ୍ୟାରେ ଲୋକ ସେହି କୂଅ ନିକଟକୁ ଛୁଟିବାରେ ଲାଗିଛନ୍ତି। କୂଅ ମଧ୍ୟରେ ଏତେ ସଂଖ୍ୟକ ସାପ ପରସ୍ପର ଗୁଡ଼େଇ ହୋଇ ରହିଛନ୍ତି। ସାପ ସଂଖ୍ୟା ଏତେମାତ୍ରାରେ ଅଧିକ ହୋଇଛି ଯେ ଏହା ଚାଓମିନର ଭ୍ରମ ସୃଷ୍ଟି କରୁଛି। ଏପରି ପାଣିରେ ଭର୍ତ୍ତି ଏହି କୂଅ ଏବେ ସାପରେ ପୂର୍ଣ୍ଣ ହୋଇଯାଇଛି। ସୁରକ୍ଷା ଦୃଷ୍ଟିରୁ ଗ୍ରାମବାସୀମାନେ କଣ୍ଟା, ବୁଦା, ବାଉଁଶ ଆଦି ଦ୍ୱାରା କୂଅକୁ ଆଚ୍ଛାଦିତ କରି ରଖିଛନ୍ତି। ଯେପରିକି ଏହା କୌଣସି ଜୀବଜନ୍ତୁ କିମ୍ବା ଜନସାଧାରଣଙ୍କ ଲାଗି ବିପଦ ସୃଷ୍ଟି ନ କରୁ। ଗ୍ରାମବାସୀ ଅନୁମାନ କରୁଛନ୍ତି, କେତେକ ମା’ ସାପ କୂଅରେ ଅଣ୍ଡା ଦେଇଥିଲେ, ଯେଉଁଗୁଡ଼ିକ ଏବେ ଫୁଟି ସେଥିରୁ ଏତେ ସଂଖ୍ୟକ ସାପ ଛୁଆ ଜନ୍ମ ନେଇଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ଏନେଇ ସ୍ଥାନୀୟ ପୋଲିସ ଓ ବନ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ କେହି ଘଟଣାସ୍ଥଳରେ ପହଞ୍ଚତ୍ ନ ଥିବା ଜଣାପଡ଼ିଛି।

Share