Categories: ଫୁରସତ

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା
ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ ଜଣେ ଯୁବକ ମାଟି ଖୋଳୁଥିଲେ। ତେବେ ମାଟି ଖୋଳିବା ସମୟରେ ଭୂମି ତଳେ ତାଙ୍କୁ ଏକ ଅଜବ ଶବ୍ଦ ଶୁଣାଯାଇଥିଲା। ପରେ ଶବ୍ଦ ଶୁଣାଯାଇଥିବା ଭୂମିରୁ ସେ ମାଟି ଉଠାଇଥିଲେ ଏବଂ ତାଙ୍କୁ ଭଗବାନ ବିଷ୍ଣୁଙ୍କର ଏକ ପୁରୁଣା ଚମତ୍କାର ପ୍ରତିମା ମିଳିଥିଲା। ଏଥିରେ ଆଶ୍ଚର୍ଯ୍ୟ ଚକିତ ହୋଇ ଅନିଶ ସଙ୍ଗେସଙ୍ଗେ ଗ୍ରାମବାସୀଙ୍କୁ ଡାକିଥିଲେ। କିଛି ସମୟ ମଧ୍ୟରେ ଗ୍ରାମବାସୀ ଆସି ସେଠାରେ ଜମା ହୋଇଯାଇଥିଲେ। ଗ୍ରାମବାସୀ ଭଗବାନ ବିଷ୍ଣୁଙ୍କର ଉକ୍ତ ଦିବ୍ୟ ମୂର୍ତ୍ତିକୁ ଉଦ୍ଧାର କରି ଗାଁର ଏକ ମନ୍ଦିରରେ ରଖି ବର୍ତ୍ତମାନ ପୂଜାର୍ଚ୍ଚନା କରୁଛନ୍ତି। ମୂର୍ତ୍ତିର ଉଚ୍ଚତା ପ୍ରାୟ ୨.୫ ଫୁଟ ହେବ ବୋଲି ଗ୍ରାମବାସୀ କହିଛନ୍ତି।
ନେଇ ପାଟ୍‌ନାସ୍ଥିତ ବିହାର ରାଜ୍ୟ ସଂଗ୍ରହାଳୟର ସହକାରୀ ନିର୍ଦ୍ଦେଶକ ଡକ୍ଟର ରବିଶଙ୍କର କହିଛନ୍ତି, ମୂର୍ତ୍ତିର କାରୁକାର୍ଯ୍ୟରୁ ଏହା ଏକାଦଶ ଶତାବ୍ଦୀର ପାଲ୍‌ ସାମ୍ରାଜ୍ୟ ସମୟର ହୋଇଥିବା ଜଣାପଡ଼ିଛି। ଏଥିରେ ମୁଙ୍ଗେର-ଜମଲପୁର ଶୈଳୀର ଉତ୍କୃଷ୍ଟ କଳାକୃତି ରହିଛି। ମୂର୍ତ୍ତି ଉପରେ ଭଗବାନ ବିଷ୍ଣୁଙ୍କର ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ ସ୍ପଷ୍ଟ ଭାବରେ ଅଙ୍କାଯାଇଛି। କଳା ପଥରରେ ନିର୍ମିତ ଏହି ମୂର୍ତ୍ତି ପାଲ୍‌ ସାମ୍ରାଜ୍ୟ ସମୟର କାରିଗରିକୁ ପ୍ରଦର୍ଶିତ କରୁଛି। ଏହି ମୂର୍ତ୍ତି ସେ ସମୟରେ ଲୋକଙ୍କର ରହିଥିବା ଧାର୍ମିକ ବିଶ୍ୱାସକୁ ମଧ୍ୟ ସୂଚାଉଥିବା ରବିଶଙ୍କର କହିଛନ୍ତି। ସେହିପରି ମାଟି ତଳୁ ମିଳିଥିବା ଏହି ମୂର୍ତ୍ତିରେ ଭଗବାନ ବିଷ୍ଣୁଙ୍କ ମୁଦ୍ରା ଗମ୍ଭୀର ଏବଂ ସୌମ୍ୟ ରହିଛି, ଯାହା ତାଙ୍କର ଦିବ୍ୟତାକୁ ଦର୍ଶାଉଛି ବୋଲି ପଶ୍ଚିମବଙ୍ଗର ଶାନ୍ତି ନିକେତନସ୍ଥିତ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳର ପ୍ରଫେସର ତଥା ପ୍ରତ୍ନତାତ୍ତ୍ୱିକ ଖନନ ବିଶେଷଜ୍ଞ ଡ. ଅନିଲ କୁମାର କହିଛନ୍ତି। ଲଖିସରାୟର ଏହି ଅଞ୍ଚଳରେ ଅନେକ ପ୍ରତ୍ନତାତ୍ତ୍ୱିକ ମୂର୍ତ୍ତି ଏବଂ ଏହାର ଅବଶିଷ୍ଟାଂଶ ମିଳିଥାଏ ବୋଲି ସେ କହିଛନ୍ତି।

Share