ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା, ଏବେ ଆମେରିକା ପ୍ରବେଶ କରିବା ସମ୍ଭାବନା !…

ଓ୍ବାଶିଂଟନ/ମସ୍କୋ,୨୪।୩ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ, ଏକ ଖବର ଏବେ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବୃଦ୍ଧି କରିଛି। ଯଦି ରୁଷିଆ ୟୁକ୍ରେନ ବିରୁଦ୍ଧରେ ଆଣବିକ ଅସ୍ତ୍ର ପ୍ରୟୋଗ କରେ, ତେବେ ଆମେରିକା ମଧ୍ୟ ଯୁଦ୍ଧରେ ପ୍ରବେଶ କରିବାକୁ ଯୋଜନା କରିଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ ଯଦି ରୁଷିଆ ୟୁକ୍ରେନ ବିରୁଦ୍ଧରେ ରାସାୟନିକ, ଜୈବକ କିମ୍ବା ଆଣବିକ ଅସ୍ତ୍ର ବ୍ୟବହାର କରେ ତେବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ରୁଷିଆ ଆଣବିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କଲେ ଆମେରିକା ନାଟୋ ସହିତ ସିଧା ଯୁଦ୍ଧରେ ଯୋଗଦେବାର ସମ୍ଭାବନା ରହିଥିବା ନ୍ୟୁୟର୍କ ଟାଇମ୍ସ୍‌ ରିପୋର୍ଟରେ କୁହାଯାଇଛି।

ରୁଷିଆର ସୈନ୍ୟବାହିନୀ ଆବାସିକ ଘର, ବିଦ୍ୟାଳୟ, ଡାକ୍ତରଖାନା, ଗୁରୁତ୍ୱପୂର୍ଣ୍ଣ ନିର୍ମାଣ, ବେସାମରିକ ଯାନ, ଶପିଂ ସେଣ୍ଟର ଏବଂ ଆମ୍ବୁଲାନ୍ସ ଆଦିକୁ ନଷ୍ଟ କରି ହଜାର ହଜାର ନିରୀହ ଲୋକଙ୍କୁ ହତ୍ୟା କରିଛି। ରୁଷିଆ ଆକ୍ରମଣରେ ହଜାର ହଜାର ଲୋକ ଆହତ ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଆକ୍ରମଣକୁ ବିରୋଧ କରି ରୁଷିଆର ବରିଷ୍ଠ ଅଧିକାରୀ ଇସ୍ତଫା ଦେଇଛନ୍ତି।

ଆନାତୋଲି ଚୁବାଏସ ନାମକ ଏହି ଅଧିକାରୀ ରାଷ୍ଟ୍ରପତି ପୁଟିନ୍‌ଙ୍କର ଜଣେ ଶୀର୍ଷସ୍ତରୀୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ସ୍ଥାୟୀ ବିକାଶ ପାଇଁ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକ ସହ ସମ୍ପର୍କ ପାଇଁ କ୍ରେମଲିନର ସ୍ବତନ୍ତ୍ର ଦୂତ ଭାବେ କାର୍ଯ୍ୟ କରୁଥିଲେ।

Share