ଟେକ୍ସାସ୍ରେ ଅପ୍ରତ୍ୟାଶିତ ଗ୍ରୀଷ୍ମପ୍ରବାହକୁ ଲକ୍ଷ୍ୟକରି ଏହାର ଗଭର୍ନର ଏହି ପରିସ୍ଥିତିରୁ ରକ୍ଷା ପାଇବା ଲାଗି ଏକ ପ୍ରିମ୍ପ୍ସନ ବିଲ୍(ଯାହା ନିମ୍ନ ଅଧିକାରୀଙ୍କ ଆଇନକୁ ବଦଳାଏ କିମ୍ବା ରୋକିଥାଏ) ସ୍ବାକ୍ଷର କରିଛନ୍ତି। ହ୍ୟୁଷ୍ଟନ ଓ ଡାଲ୍ଲାସ ସହରକୁ ସ୍ଥାନୀୟ କର୍ମସ୍ଥଳୀଗୁଡ଼ିକ ପାଇଁ ମାନକ ସ୍ଥିର କରିବା ସହ ବାହାର ଶ୍ରମିକମାନଙ୍କ ପାଇଁ ଜଳ ଅବକାଶ ସାମିଲ କରିବା ଅଧିକାର ଛଡ଼ାଇନେଇଛି। ଟେକ୍ସାସ୍ ରେଗୁଲେଟୋରି କନ୍ସିଷ୍ଟେନସି ଆକ୍ଟ (ଟେକ୍ସାସ ବିନିୟାମକ ସଙ୍ଗତି ଅଧିନିୟମ) ୮ଟି ଅଞ୍ଚଳରେ ରାଜ୍ୟ ଆଇନକୁ ଟପି ନୀତି ଗଢ଼ିବାକୁ ପୌରପାଳିକା ସରକାରଗୁଡ଼ିକୁ ମନାକରିଛି ଏବଂ ଏବେ ଏମିତି କରାଯାଉଥିବା ସହର ଓ ସ୍ଥାନୀୟ ଆଇନଗୁଡ଼ିକୁ ରଦ୍ଦ କରିଛନ୍ତି। ସହରଗୁଡ଼ିକ ସେମାନଙ୍କ ନୀତି ଓ ରାଜ୍ୟର ଆଇନ ମଧ୍ୟରେ ଅସଙ୍ଗତି ସୃଷ୍ଟିକଲେ ମକଦ୍ଦମାର ସାମ୍ନା କରିବା ସହ ଓ କ୍ଷତି ସହିବେ । ଏଥିରୁ ବୁଝାପଡ଼ୁଛି, ରିପବ୍ଲିକାନ୍ ରାଜ୍ୟସ୍ତରୀୟ ନେତା ଏବଂ ସେମାନଙ୍କ ବ୍ୟବସାୟିକ ସମର୍ଥକମାନେ ରାଜ୍ୟର ଡେମୋକ୍ରାଟ୍ ନିର୍ଭରଶୀଳ ସହରଗୁଡ଼ିକର ଭୋଟରମାନଙ୍କ ସ୍ବାର୍ଥକୁ ପଦ ଦଳିତ କରୁଛନ୍ତି। ସବୁଠୁ ଖରାପ ହେଉଛି, ରାଜ୍ୟ ଦ୍ୱାରା ନିଆଯାଇଥିବା ଅନେକ ପଦକ୍ଷେପରୁ କେବଳ ଏବକାର ଟେକ୍ସାସ୍ ବିଲ୍ ସ୍ଥାନୀୟ ସରକାରଙ୍କ ଅଧିକାରକୁ ଶେଷ କରିବା ସହ ଭୋଟରମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିଛି। ଏହାର ଦୁଇଟି ଲକ୍ଷ୍ୟ ରହିଛି। ଗୋଟିଏ ହେଉଛି ନିର୍ଦ୍ଦିିଷ୍ଟ ନିୟମକୁ ହଟାଇବା ଏବଂ ଅନ୍ୟଟି ସ୍ଥାନୀୟ ପ୍ରଶାସନର ଆଞ୍ଚଳିକ ନିୟନ୍ତ୍ରଣ କ୍ଷମତାକୁ ହ୍ରାସ କରିବା।
ଦେଶବ୍ୟାପୀ ଏହି ବିଲ୍ ଉଦାରବାଦୀ ନିିର୍ଭରଶୀଳ ସହରଗୁଡିକର ବୈଧ କାର୍ଯ୍ୟରେ ସରକାରୀ ନିୟନ୍ତ୍ରଣ ହଟାଇବା ଚିନ୍ତାଧାରାକୁ ବ୍ୟବହାର କରିଛି। ଏମିତିକା ବିଲ୍ ୨୦୧୭ରେ ୧୪୦ରୁ ବୃଦ୍ଧି ପାଇ ୨୦୨୨ରେ ୧୦୦୦ରୁ ଅଧିକ ହୋଇଛି (ଏହି ବର୍ଷ ପାଇଁ ସଂଖ୍ୟା ୬୫୦ରେ ପହଞ୍ଚିଗଲାଣି)। ବାସ୍ତବରେ ଯେଉଁ ସହରଗୁଡ଼ିକୁ ଟାର୍ଗେଟ କରାଯାଇଛି ସେଠାରେ ଗର୍ଭପାତ ଓ ଏଲ୍ଜିବିଟିକ୍ୟୁ ଅଧିକାର, ବନ୍ଧୁକ ନିୟନ୍ତ୍ରଣ, ଅପରାଧ ନ୍ୟାୟ ସୁଧାର, ସର୍ବନିମ୍ନ ମଜୁରି ଏବଂ ନ୍ୟାୟୋଚିତ ଭାବେ କାର୍ଯ୍ୟ କରିବାର ପରିସ୍ଥିତି ଏବଂ ଭୋଟରଙ୍କ ଅଧିକାର ଭଳି ପ୍ରମୁଖ ସମସ୍ୟାଗୁଡ଼ିକ ଉପରେ ସଂଖ୍ୟାଧିକ ଭୋଟରଙ୍କର ପ୍ରତିନିଧିତ୍ୱ ରହିଛି। ଉଦାହରଣ ସ୍ବରୂପ ଟେକ୍ସାସ୍ରେ ସଂଖ୍ୟାଧିକ ଭୋଟର ବିଶ୍ୱାସ କରନ୍ତି ଯେ, ଆର୍ଥିକ ନ୍ୟାୟର ବିଷୟଗୁଡ଼ିକୁ ସ୍ଥାନୀୟ ସରକାରଗୁଡ଼ିକ ନିୟନ୍ତ୍ରଣ କରିବା ଉଚିତ। କିନ୍ତୁ ଅନ୍ୟ ରିପବ୍ଲିକାନ ନିୟନ୍ତ୍ରଣାଧୀନ ରାଜ୍ୟଗୁଡ଼ିକରେ ଚରମପନ୍ଥୀମାନେ, ବ୍ୟବସାୟିକ ଗୋଷ୍ଠୀ ଓ ସରକାରକୁ ପ୍ରଭାବିତ କରୁଥିବା ଗୋଷ୍ଠୀ ଲୋକଙ୍କ ଇଚ୍ଛାକୁ ପ୍ରଭାବିତ କରିପାରିଛନ୍ତି। ସେଣ୍ଟର ଫର୍ ପବ୍ଲିକ ଇଣ୍ଟିଗ୍ରିଟି ଅନୁଯାୟୀ,୨୦୧୦ରୁ ୨୦୧୮ରେ ଷ୍ଟେଟ୍ହାଉସରେ ୧୦,୦୦୦ରୁ ଅଧିକ ବିଲ୍ ଅଣାଯାଇଥିଲା ଓ ସେଥିରୁ ୨୦%ରୁ ଅଧିକ ଆଇନ କରାଯାଇଥିଲା।
ରିପବ୍ଲିକାନ ଏବଂ ସେମାନଙ୍କର ଦାତା ଓ ସହଯୋଗୀମାନେ ବାଲଟ ପଦକ୍ଷେପ (ନାଗରିକଙ୍କ ଦ୍ୱାରା ପ୍ରସ୍ତାବିତ ତଥା ଅନୁମୋଦିତ ପଦକ୍ଷେପ) ବ୍ୟବହାରକୁ ସୀମିତ କରି ନାଗରିକଙ୍କ ଅଧିକାରକୁ ସଙ୍କୁଚିତ କରିବା ପାଇଁ ଏକ ମିଳିତ ପ୍ରୟାସ କରୁଛନ୍ତି, ଯାହା ବର୍ତ୍ତମାନ ୨୭ଟି ରାଜ୍ୟରେ ଚାଲିଛି। ଜୁନ୍ ୨୦୨୩ ସୁଦ୍ଧା, ବାଲଟ ଇନିସିଏଟିଭ ଷ୍ଟ୍ରାଟେଜି ସେଣ୍ଟରର ଗଣନା ଅନୁଯାୟୀ, ୧୪ଟି ରାଜ୍ୟରେ ବାଲଟ ପ୍ରକ୍ରିୟାକୁ ପ୍ରଭାବିତ କିମ୍ବା ଦୁର୍ବଳ କରିବା ଭଳି ୫୦ଟି ପଦକ୍ଷେପ ମଧ୍ୟରୁ ୪୫ଟି ବିଧେୟକ ମାଧ୍ୟମରେ ଦାଖଲ କରାଯାଇଛି। ଏହିଭଳି ନୂଆ, ବୈଧ ତଥା ବିଧେୟକ ଆହ୍ବାନଗୁଡ଼ିକ ବାଲଟ ପ୍ରକ୍ରିିୟାକୁ ସୀମିତ କରିବା ଲାଗି ଉଦ୍ଦିଷ୍ଟ। ଯଥା ଗୋଟିଏ ପଦକ୍ଷେପକୁ ଯୋଗ୍ୟ କରିବା ଲାଗି ଆବଶ୍ୟକ ସ୍ବାକ୍ଷର ସଂଖ୍ୟା ବୃଦ୍ଧିକରି କିମ୍ବା ଭୋଟରଙ୍କ ସ୍ବୀକୃତି ସୀମା ବଢ଼ାଇ ଏହା କରାଯାଉଛି। ଅନେକ ସମୟରେ ବାଲଟ ପଦକ୍ଷେପକୁ କମ୍ ସଂଖ୍ୟକ ଭୋଟରେ ମଧ୍ୟ ପାସ୍ କରାଯାଉଛି। ଉଦାହରଣ ସ୍ବରୂପ ,୨୦୨୨ରେ ଆରିଜୋନା ଏକ ବାଲଟ ପଦକ୍ଷେପ ମାଧ୍ୟମରେ ୬୦% ଅନୁମୋଦନ ପଥ ଆପଣାଇଥିଲା ଏବଂ ମିସୌରି ଏବେ ସ୍ବୀକୃତି ସୀମାକୁ ଦୁଇ ତୃତୀୟାଂଶ ବୃଦ୍ଧି କରିବାକୁ ବିଚାର କରୁଛି। ପୂର୍ବରୁ ବାଲଟ ପଦକ୍ଷେପ ପାଇଁ ଅତ୍ୟଧିକ ସଂଖ୍ୟାଗରିଷ୍ଠତା ଆବଶ୍ୟକ କରୁଥିବା ୯ଟି ରାଜ୍ୟ ସହ ଏହା ସାମିଲ ହେବ। କିନ୍ତୁ ବାଲଟ-ପଦକ୍ଷେପ ପ୍ରକ୍ରିୟା ଉପରେ ଅତ୍ୟଧିକ ଘୃଣ୍ୟ ଆକ୍ରମଣ ହେଉଛି ଓହିଓରେ, ଯେଉଁଠାରେ ଆଇନଜୀବୀ ତଥା ସରକାରଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରୁଥିବା ସ୍ବତନ୍ତ୍ର ଗୋଷ୍ଠୀଙ୍କ ମିଳିତ ମଞ୍ଚ ଏକ ସ୍ବତନ୍ତ୍ର ନିର୍ବାଚନ (ଅଗଷ୍ଟ ୮) ରେ କରାଇବାକୁ ଲବି କରିଛନ୍ତି। ଏକ ପ୍ରସ୍ତାବିତ ରିପ୍ରଡକ୍ଟିଭ ଫ୍ରିଡମ ଆମେଣ୍ଡମେଣ୍ଟ ବା ପ୍ରଜନନ-ସ୍ବାଧୀନତା ସଂଶୋଧନ ଉପରେ ଓହିଓ ତା’ନାଗରିକଙ୍କୁ ଭୋଟ ନ ଦେବାକୁ ଏହା କରାଯାଇଛି। ଖାଲି ସେତିକି ନୁହେଁ, ୨୦୨୨ରେ ବିଭିନ୍ନ ରାଜ୍ୟରେ ଏପରିକି ବହୁଳ ଭାବରେ ରିପବ୍ଲିକାନ ନିୟନ୍ତ୍ରିତ ରାଜ୍ୟରେ ପ୍ରଜନନ ଅଧିକାରର ସୁରକ୍ଷା ପାଇଁ ହୋଇଥିବା ସଫଳ ବାଲଟ ପଦକ୍ଷେପ ଦଳର ନିର୍ବାଚିତ ପ୍ରତିନିଧମାନଙ୍କୁ ଚିନ୍ତାରେ ପକାଇଦେଇଛି।
ଏକ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରୁଥିବା ନାଗରିକଙ୍କ ଜିଲା (ଗେରିମାଣ୍ଡରିଂ ଡିଷ୍ଟ୍ରିକ୍ଟ)ଗୁଡ଼ିକୁ ନେଇ ଗଠିତ ରାଜ୍ୟଗୁଡ଼ିକରେ ଅଧିକାର ଛଡ଼ାଇନେବା ରଣନୀତି ଅଧିକ ସମସ୍ୟାଜଡ଼ିତ। ସେଠାରେ ନିର୍ବାଚିତ ଅଧିକାରୀଙ୍କ ଏକ ଅଣପ୍ରତିନିଧି ଗୋଷ୍ଠୀ ସେମାନଙ୍କ ଭୋଟରଙ୍କ ସଂଖ୍ୟା ତୁଳନାରେ ଅତ୍ୟଧିକ ଶକ୍ତି ବ୍ୟବହାର କରନ୍ତି । ଏଭଳି ୧୦ଟି ରାଜ୍ୟ ମଧ୍ୟରୁ ୯ଟିର ରିପବ୍ଲିକାନ ନିୟନ୍ତ୍ରିତ ଷ୍ଟେଟ୍ହାଉସ ଏବଂ ନିର୍ବାଚିତ ଅଧିକାରୀ ଅଛନ୍ତି, ଯେଉଁମାନେ ଏକ କାର୍ଯ୍ୟସୂଚୀ ଅନୁସରଣ କରିବାକୁ ଚାହଁୁଛନ୍ତି, ଯାହାକୁ ଅଧିକାଂଶ ନାଗରିକ ବିରୋଧ କରୁଛନ୍ତି। ସୌଭାଗ୍ୟବଶତଃ ଏକ ଆଶ୍ଚର୍ଯ୍ୟଜନକ ରାୟରେ, ଆମେରିକା ସୁପ୍ରିମକୋର୍ଟ କହିଛନ୍ତି, ୨୦୨୦ ଜନଗଣନା ପରେ ଆଲବାମାର ନିର୍ବାଚନ ଜିଲାଗୁଡ଼ିକ ପୁନର୍ବାର ଗଢ଼ାଯାଇ ରାଜ୍ୟର କଳା ଭୋଟରଙ୍କ ପ୍ରଭାବକୁ ହ୍ରାସ କରିବା କାର୍ଯ୍ୟ ଭୋଟ ଅଧିକାର ଆଇନର ଧାରା ୨କୁ ଉଲ୍ଲଂଘନ କରିଛି। ବାଲଟରେ ପ୍ରତିବନ୍ଧକ, କୌଣସି ଅଞ୍ଚଳର ସୀମା ପରିବର୍ତ୍ତନ କରି ସେଠାରେ ନିଜ ସମର୍ଥକଙ୍କୁ ଅଧିକ ରଖିବାର ପ୍ର୍ରକ୍ରିୟା ବୃଦ୍ଧି କରିବା ଏବଂ ଭୋଟ ଅଧିକାର ଉପରେ ଆକ୍ରମଣ କରିବା କାର୍ଯ୍ୟ ରାଜ୍ୟ ତଥା ସ୍ଥାନୀୟ ସ୍ତରରେ ଆମେରିକାର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛି। ଆମେ ନିଶ୍ଚିତ ହେବାକୁ ପଡ଼ିବ ଯେ ଏହି ପ୍ରୟାସ ବିଫଳ ହୋଇଛି। ରିପବ୍ଲିକାନ ନିୟନ୍ତ୍ରିତ ଆରିଜୋନା ବିଧାନସଭା ଏକ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନକୁ ଅଣଦେଖା କରୁଥିବାବେଳେ ଡେମୋକ୍ରାଟିକ ଗଭର୍ନର କେଟି ହବ୍ସ କାର୍ଯ୍ୟଭାର ଗ୍ରହଣ କରିବାର ୬ ମାସ ପରେ ୧୦୦ରୁ ଅଧିକ ପଦକ୍ଷେପକୁ ଅନୁମତି ଦେବାକୁ ମନାକରିଦେଇଛନ୍ତି। ବାଲଟ ପଦକ୍ଷେପକୁ ରୋକିବାକୁ ଆଉ ଏକ ଉପାୟ ଅବଲମ୍ବନ କରାଯାଉଛି। ଫଳରେ ଏହା ବିରୋଧରେ ପ୍ରଚାରକୁ ଲକ୍ଷ୍ୟକରି ବାଲଟ ଇନିସିଏଟିଭ ଷ୍ଟ୍ରାଟେଜି ସେଣ୍ଟର ନୂତନ ବିପଦକୁ ଚିହ୍ନଟ କରିବା ପାଇଁ ଏକ ସହାୟକ ରଣନୀତିକ ଢାଞ୍ଚା ବିକାଶ କରିଛି, ଯାହା ବିଭିନ୍ନ ସମୁଦାୟ ଉପରେ ଧ୍ୟାନ ଦେଉଛି । କିନ୍ତୁ ଏହାକୁ କ୍ଷମତାରୁ ବାହାରେ ରଖାଯାଇଛି।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କୌଶଳ ହେଉଛି ଅଣ-ଲାଭକାରୀ ସଂସ୍ଥା ଦ୍ୱାରା ବିଭିନ୍ନ ସମସ୍ୟା ଉପରେ ବାଲଟ ପଦକ୍ଷେପ ବିକାଶ କରିବାକୁ ପାଇଁ କାର୍ଯ୍ୟ କରାଯାଉଛି। ଉଦାହରଣ ସ୍ବରୂପ, ଫେୟାରନେସ୍ ପ୍ରୋଜେକ୍ଟ,୨୦୧୫ରୁ ବାର୍ଷିକ ବଜେଟ ୧୦ମିଲିୟନ ଡଲାରରୁ କମ୍ ବଜେଟରେ ୩୩ଟି ବାଲଟ ପଦକ୍ଷେପ ମଧ୍ୟରୁ ୩୧ଟି ଜିତିଛି, ଯାହା ପ୍ରାୟ ୧୮ ନିୟୁତ ନାଗରିକଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସିଧାସଳଖ ଭୋଟ ଦେଇ ସେମାନଙ୍କର ଦଶମ ସଂଶୋଧନ ଅଧିକାର କାର୍ଯ୍ୟକାରୀ କରିବାର ସୁଯୋଗ ଦେଇଛି। ଜୁନ୍ ସୁଦ୍ଧା ୨୦୨୪ ନିର୍ବାଚନ ପ୍ରକ୍ରିୟା ପାଇଁ ୪୦ଟି ରାଜ୍ୟକୁ ବାଲଟ ପଦକ୍ଷେପ ସକାଶେ ସ୍ବୀକୃତି ଦିଆଯାଇଛି। ସେଥିମଧ୍ୟରୁ କେତେକ ଗଣତନ୍ତ୍ର-ସମର୍ଥକ। କିନ୍ତୁ ଅନ୍ୟମାନେ ଗଣତନ୍ତ୍ରକୁ ନଷ୍ଟ କରିବାକୁ ଧମକ ଦେଇଛନ୍ତି। ଆମେରିକାର ଗଣତନ୍ତ୍ର ପାଇଁ ୨୦୨୪ ନିର୍ବାଚନ ପ୍ରକ୍ରିୟା ଗୁରୁତ୍ୱପୂର୍ଣ୍ଣ ହେବ । ସମସ୍ତ ଆଖି ସ୍ବାଭାବିକ ଭାବେ ରାଷ୍ଟ୍ରପତି ଦୌଡ଼ ଏବଂ କଂଗ୍ରେସର ନିୟନ୍ତ୍ରଣ ପାଇଁ ପ୍ରତିଯୋଗିତା ଉପରେ ରହିବ। କିନ୍ତୁ ଗଣତନ୍ତ୍ରର ସୁରକ୍ଷା କିମ୍ବା ନଷ୍ଟ କରିବାର ସଂଗ୍ରାମ ରାଜ୍ୟ ତଥା ସ୍ଥାନୀୟ ସ୍ତରରେ କମ୍ ଗୁରୁତ୍ୱପୂର୍ଣ୍ଣ ହେବ ନାହିଁ।