ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ: ଆଲର୍ଟ ରହିବାକୁ ସୁରକ୍ଷା ସଂସ୍ଥାକୁ ଗୃହ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର, ୮ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ମିଳିଛି। ଦୁଇଦିନ ପୂର୍ବରୁ ନବୀନ ନିବାସକୁ ଏ ନେଇ ଏକ ହାତଲେଖା ବେନାମୀ ଧମକପୂର୍ଣ୍ଣ ଚିଠି ଆସିଛି। ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ମିଳିବା ପରେ ରାଜ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକ ସତର୍କ ହୋଇଉଠିଛନ୍ତି। ଏକେ-୪୭ ଏବଂ ସେମି ଅଟୋମେଟିକ ପିସ୍ତଲରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି। ସୁପାରିକିଲରମାନେ ପେସାଦାର ହତ୍ୟାକାରୀ। ସେମାନେ ଆପଣଙ୍କୁ ନିୟମିତ ଅନୁସରଣ କରୁଛନ୍ତି। ସେମାନଙ୍କ ମାଷ୍ଟରମାଇଣ୍ଡ ନାଗପୁରରେ ରହିଛନ୍ତି। ୧୭ଟି କାର ମୁଖ୍ୟମନ୍ତ୍ରୀଙ୍କୁ ନିୟମିତ ଅନୁସରଣ କରୁଛି।

ମୁଖ୍ୟମନ୍ତ୍ରୀଙ୍କୁ ସତର୍କ ରହିବାକୁ ଚିଠିରେ କୁହାଯାଇଛି। ଚିଠି ମିଳିବା ପରେ ଗୃହ ବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିଜିପି, ଆଇଜି ଏବଂ ଗୋଇନ୍ଦା ନିର୍ଦ୍ଦେଶକ, କମିଶନରେଟ ପୋଲିସକୁ ଏ ବିଷୟରେ ଅନୁଧ୍ୟାନ କରି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କୁ ବାସଭବନରେ, କାର୍ଯ୍ୟାଳୟ ଓ ବିଭିନ୍ନ ସ୍ଥାନକୁ ଯାତ୍ରା ସମୟରେ ଯୋଗାଇ ଦିଆଯାଉଥିବା ସୁରକ୍ଷାର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share