ଆମେରିକାରେ ଭାରତୀୟ ବଂଶୋଦ୍ଭବ ଏମ୍‌ପିଙ୍କୁ ମିଳିଲା ଧମକ

ନ୍ୟୁୟର୍କ,୯।୯: ଆମେରିକାରେ ଭାରତୀୟଙ୍କ ପ୍ରତି ଘୃଣା ଭାବ ବଢିବାରେ ଲାଗିଛି। ସାଧାରଣ ଲୋକଙ୍କୁ ଧମକ ପରେ ବର୍ତ୍ତମାନ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଏମ୍‌ପି ପ୍ରମିଲା ଜୟପାଲଙ୍କୁ ଫୋନରେ ଧମକ ଦିଆଯାଇଛି। ଜଣେ ବ୍ୟକ୍ତି ତାଙ୍କୁ ଫୋନରେ ଧମକ ଦେଇ ଭାରତକୁ ଫେରିବାକୁ ଚେତାବନୀ ଦେଇଛନ୍ତି।
ଚେନ୍ନାଇରେ ଜନ୍ମିତ ଏମ୍‌ପି ଜୟପାଲ ସୋସିଆଲ ମିଡିଆରେ ପାଞ୍ଚଟି ଧମକପୂର୍ଣ୍ଣ ଅଡିଓ ବାର୍ତ୍ତା ଶେୟାର କରିଛନ୍ତି। ଏହି ଧମକପୂର୍ଣ୍ଣ ବାର୍ତ୍ତାରେ ଜଣେ ବ୍ୟକ୍ତି ତାଙ୍କୁ ଧମକ ଦେଇ ନିଜ ଦେଶ ଭାରତକୁ ଫେରିଯିବାର ଶୁଣିବାକୁ ମିଳିଛି।
ଜୟପାଲ କହିଛନ୍ତି, ରାଜନେତାମାନେ ପ୍ରାୟତଃ ସେମାନଙ୍କ ସୁରକ୍ଷା ପ୍ରତି ବିପଦ ପ୍ରକାଶ କରନ୍ତି ନାହିଁ। କିନ୍ତୁ ଆମେ ହିଂସାକୁ ଗ୍ରହଣ କରିପାରିବୁ ନାହିଁ। ଜାତିଭେଦ ମଧ୍ୟ ଆମେ ଗ୍ରହଣ କରିପାରିବୁ ନାହିଁ। ୫୫ ବର୍ଷିୟା ଜୟପାଲ ଆମେରିକାର ପ୍ରତିନିଧି ସଭାରେ ସିଆଟେଲରୁ ପ୍ରତିନିଧିତ୍ୱ କରୁଛନ୍ତି।
ଗତ ସେପ୍ଟେମ୍ବର ୧ରେ, ଜଣେ ଭାରତୀୟ ମୂଳ ବ୍ୟକ୍ତି କାଲିଫର୍ଣ୍ଣିଆରେ ଘୃଣାର ଶିକାର ହୋଇଥିଲେ। ଏହାପୂର୍ବରୁ ଅଗଷ୍ଟ ୨୬ରେ ଟେକ୍ସାସରେ ଜଣେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଆକ୍ରମଣ କରାଯାଇଥିଲା।

Share