ହ୍ୟାରି ପୋଟର ଲେଖିକାଙ୍କୁ ଧମକ, ଏବେ ତୁମ ପାଳି…

ଲଣ୍ଡନ,୧୪।୮ : ପ୍ରସିଦ୍ଧ ଲେଖକ ସଲମାନ୍‌ ରଶ୍‌ଡିଙ୍କ ଉପରେ ଆକ୍ରମଣ ପରେ ହ୍ୟାରି ପୋଟର ଉପନ୍ୟାସର ଲେଖକ ଜେ.କେ ରୋୱଲିଙ୍ଗଙ୍କୁ ମଧ୍ୟ ମୃତ୍ୟୁ ଧମକ ମିଳିଛି। ରଶ୍‌ଡିଙ୍କ ସମର୍ଥନରେ ଏକ ଟୁଇଟ କରିବା ପରେ ସେ ଏହି ଧମକ ପାଇଛନ୍ତି। ରଶ୍‌ଡିଙ୍କ ଉପରେ ଆକ୍ରମଣ ପରେ ୫୭ ବର୍ଷିୟ ଲେଖକ ରୋୱଲିଙ୍ଗ ଟୁଇଟରରେ ଲେଖିଥିଲେ ଯେ ଏଭଳି ଘଟଣା ତାଙ୍କୁ ଗଭୀର ଆଘାତ ଦେଇଛି। ଆଶା କରୁଛି ରଶ୍‌ଡି ଶୀଘ୍ର ଭଲ ହୋଇଯିବେ। ତାଙ୍କ ଟୁଇଟର ଜବାବରେ ଜଣେ ୟୁଜର ଲେଖିଥିଲେ ବ୍ୟସ୍ତ ହୁଅନ୍ତୁ ନାହିଁ। ପରବର୍ତ୍ତୀ ପାଳି ଆପଣଙ୍କର ପଡ଼ିବ।

ଏହି ଟୁଇଟର ସ୍କ୍ରିନଶଟ ମଧ୍ୟ ରୋୱଲିଙ୍ଗ ଶେୟାର କରିଛନ୍ତି। ଏହି ଧମକ ପରେ ଅନେକ ଲୋକ ରୋଓ୍ବଲିଙ୍ଗଙ୍କ ସମର୍ଥନରେ ଟୁଇଟ କରିଛନ୍ତି। ଏହା ପରେ ସେ ୟୁଜରମାନଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ ଆପଣମାନଙ୍କର ସମର୍ଥନ ପାଇଁ ଆପଣମାନଙ୍କୁ ଧନ୍ୟବାଦ।

ଯେଉଁ ଟୁଇଟର ହ୍ୟାଣ୍ଡେଲରୁ ରୋଓ୍ବଲିଙ୍ଗଙ୍କୁ ଧମକ ଦିଆଯାଇଛି। ସେଥିରୁ ସଲମାନନ୍‌ ରଶ୍‌ଡିଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ହାଦି ମାତାରଙ୍କୁ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି ଯେ ସେ ଜଣେ ଶିଆ ଯୋଦ୍ଧା ଏବଂ ବିପ୍ଳବୀ।

ଭାରତୀୟ ମୂଳ ଔପନ୍ୟାସିକ ତଥା ବିଶ୍ୱ ପ୍ରସିଦ୍ଧ ଲେଖକ ସଲମାନ୍‌ ରଶ୍‌ଡିଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିଥିବା ଖବର ମିଳିଛି। ସର୍ବଶେଷ ସୂଚନା ଅନୁଯାୟୀ, ତାଙ୍କୁ ଭେଣ୍ଟିଲେଟରରୁ ହଟାଇ ଦିଆଯାଇଛି ଏବଂ ବର୍ତ୍ତମାନ କଥାବାର୍ତ୍ତା କରିବାକୁ ସକ୍ଷମ ହୋଇଛନ୍ତି। ନ୍ୟୁୟର୍କରେ ତାଙ୍କୁ ଛୁରୀରେ ଆକ୍ରମଣ କରାଯାଇଥିଲା। ଯେତେବେଳେ ସେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାକୁ ଯାଉଥିଲେ ସେତେବେଳେ ଏହି ଆକ୍ରମଣ ହୋଇଥିଲା। ଆକ୍ରମଣକାରୀ ୨୦ ସେକେଣ୍ଡ ମଧ୍ୟରେ ତାଙ୍କ ଉପରେ ବହୁବାର ଛୁରିରେ ଆଘାତ କରିଥିଲେ। ପୋଲିସ ତୁରନ୍ତ ଆକ୍ରମଣକାରୀଙ୍କ ହାଦି ମାତାରଙ୍କୁ ଗିରଫ କରିଥିଲା।

Share