Advertisement

ପ୍ରଚାର ବେଳେ ସରପଞ୍ଚ ପ୍ରାର୍ଥୀଙ୍କ ସ୍ବାମୀଙ୍କୁ ହତ୍ୟା ଧମକ

ବରଗଡ଼ ଅଫିସ୍‌,୨।୨: ତ୍ରିସ୍ତରୀୟ ପଞ୍ଚାୟତ ଭୋଟକୁ ନେଇ ବରଗଡ଼ ଜିଲାରେ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ଜୋର୍‌ ଧରିଥିବା ବେଳେ ପ୍ରାକ୍‌ ନିର୍ବାଚନୀ ହିଂସା ଚର୍ଚ୍ଚାର ବିଷୟ ହୋଇଛି। କିଛିଦିନ ତଳେ ପ୍ରଚାରରେ ଯାଇଥିବା ବେଳେ ସୋହେଲା ଥାନା ଅଞ୍ଚଳରେ ଜଣେ ପ୍ରାର୍ଥୀଙ୍କ ଦଳୀୟ ପତାକାକୁ ଗାଡ଼ିରୁ କାଢ଼ିଦେବା ଘଟଣାର ଚର୍ଚ୍ଚା ଥମି ନ ଥିବାବେଳେ ମଙ୍ଗଳବାର ସନ୍ଧ୍ୟାରେ ଭଟଲି ଥାନା ଚଢ଼େଇଗାଁରେ ସ୍ଥାନୀୟ ଜଣେ ସରପଞ୍ଚ ପ୍ରାର୍ଥୀ ସ୍ବାମୀ ମଦନ ସାହୁଙ୍କୁ ୨ଜଣ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ମଦନଙ୍କ ଏତଲା କ୍ରମେ ପୋଲିସ ଲୋକେଶ ନାଏକ, ପବିତ୍ର ନାଏକଙ୍କ ବିରୋଧରେ ଏକ ମାମଲା( ନଂ.୩୧/୨୨) ରୁଜୁ କରିଛି।

ମଦନଙ୍କ ସ୍ତ୍ରୀ ଚଢ଼େଇଗାଁ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀଭାବେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ମଦନ ପ୍ରଚାର ପାଇଁ ଚଢ଼େଇଗାଁକୁ ଯାଇ ସନ୍ଧ୍ୟାରେ ଫେରୁଥିବା ବେଳେ ଲୋକେଶ, ପବିତ୍ର ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ମାରିବାକୁ ଧମକ ଦେଇଥିବା ମଦନ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଭଟଲି ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share