Categories: ଖେଳ

ଧାରଣା ବିଶ୍ୱବ୍ୟାପୀ କରିବାକୁ ଧମକ

ନୂଆଦିଲ୍ଲୀ,୧୬ା୫(ପି.ଟି.): ଭାରତୀୟ ରେସ୍‌ଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ଖେଳାଳିଙ୍କ ଆନ୍ଦୋଳନ ୨୩ ଦିନରେ ପହଞ୍ଚତ୍ଛି। ତେବେ ସରକାର ତୁରନ୍ତ ବ୍ରିଜ୍‌ଭୂଷଣଙ୍କୁ ଗିରଫ ନ କଲେ ଏହି ଆନ୍ଦୋଳନକୁ ବିଶ୍ୱବ୍ୟାପୀ କରାଯିବ ବୋଲି ରେସ୍‌ଲର ମାନେ ଧମକ ଦେଇଛନ୍ତି। ଆସନ୍ତା ମେ’ ୨୧ ଡେଡ୍‌ଲାଇନ ପ୍ରଦାନ କରାଯାଇଛି। ଏହି ଧାରଣାରେ ସମଗ୍ର ବିଶ୍ୱକୁ ସାମିଲ କରିବା ପାଇଁ ଭିନ୍ନ ଭିନ୍ନ ଦେଶର ଅଲିମ୍ପିଆନ୍‌ ଓ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଚିଠି ଲେଖି ଧାରଣାରେ ସାମିଲ ପାଇଁ ଆହ୍ବାନ ଦିଆଯିବ ବୋଲି ୨୦୧୮ ଜାକର୍ତ୍ତା ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣପଦକ ବିଜୟିନୀ ଭିନେଶ୍‌ ଫୋଗତ ସୂଚନା ଦେଇଛନ୍ତି। ଏହି ଧାରଣାକୁ ବିଫଳ କରିବା ପାଇଁ କିଛି ଲୋକ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ନିୟମିତ ଭାବେ ଆମର ପିଛା କରାଯାଉଛି। ଅଜଣା ଲୋକ ଓ ମହିଳାମାନେ ଧାରଣାସ୍ଥଳରେ ଆମର ଫଟୋ ଓ ଭିଡିଓ ଉତ୍ତୋଳନ କରୁଛନ୍ତି। ଏପରିକି ମନା କଲେ ମଧ୍ୟ ସେମାନେ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ଭିନେଶ୍‌। ଅନେକ ମହିଳା ଯେଉଁମାନଙ୍କୁ ଆମେ ଜାଣିନାହୁଁ ସେମାନଙ୍କୁ ମଧ୍ୟରାତ୍ରିରେ ଟେଣ୍ଟ ମଧ୍ୟକୁ ପଠାଯାଉଛି। ଧାରଣାସ୍ଥଳରେ ଯାହା ହେବା କଥା ନୁହେଁ ସେମିତି କିଛି ଘଟଣା ଘଟାଇବାକୁ ପ୍ରୟାସ କରାଯାଉଛି ବୋଲି ଭିନେଶ୍‌ କହିଛନ୍ତି। ଅନ୍ୟାୟ ଓ ଅନୀତି ବିପକ୍ଷ ଏହି ଲଢ଼େଇରେ ଆମ ଛବିକୁ ବଦନାମ୍‌ କରିବାର ନିଷ୍ଫଳ ପ୍ରୟାସ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଯନ୍ତରମନ୍ତରରେ ଆମ ଆନ୍ଦୋଳନକୁ କୋଣଠେସା କରିବାକୁ ପ୍ରୟାସ କରାଯାଉଛି। ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏହି ଆନ୍ଦୋଳନରେ ସାମିଲ କରିବାକୁ ଆମେ ପ୍ରୟାସ କରିବୁ ବୋଲି ଭିନେଶ୍‌ କହିଛନ୍ତି। ସୋମବାର ରେସ୍‌ଲରମାନେ ଧାରଣାସ୍ଥଳ ଛାଡ଼ି କନ୍ନଟ ପ୍ଲେସ୍‌ ଯାଇ ସାଧାରଣ ଲୋକଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ବୁଝାଇଥିଲେ। ଏହାସହିତ ମେ’ ୨୧ର ଡେଡ୍‌ଲାଇନ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି।

Share