Categories: ଜାତୀୟ

ରାମ ମନ୍ଦିର ଭୂମିପୂଜନ ପାଇଁ ଶୁଭ ସମୟ ସ୍ଥିର କରିଥିବା ପୂଜାରୀଙ୍କୁ ଧମକ

ବେଙ୍ଗାଲୁରୁ,୪।୮: ରାମ ମନ୍ଦିର ଭୂମି ପୂଜନର ମୁହୂର୍ତ୍ତକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନା ନେଉନି। ଏହି ମୁହୂର୍ତ୍ତ ନେଇ ଏବେ ଏକ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି। ଇତିମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ପାଇଁ ଶୁଭ ସମୟ ସ୍ଥିର କରିଥିବା କର୍ନାଟକ ବେଲଗାଭିର ପୂଜାରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳୁଥିବା ଜଣାପଡ଼ିଛି। ତେବେ ପୂଜାରୀଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ତାଙ୍କ ଘରେ ପୋଲିସ ମୁତୟନ କରାଯାଇଛି। ସୂଚନାଯୋଗ୍ୟ ବେଲଗାଭିରେ ରହୁଥିବା ପଣ୍ଡିତ ଏନ୍‌ଆର ବିଜେୟନ୍ଦ୍ର ଶର୍ମାଙ୍କୁ ଫୋନରେ ଜୀବନରୁ ମାରିଦେବାକୁ କିଛି ଦୁର୍ବୃତ୍ତ ଧମକ ଦେଉଥିବା ଜଣାପଡ଼ିଛି। ଏନେଇ ବେଲଗାଭିର ତିଲକଭାଡ଼ିି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ତେବେ ଫୋନ କରିଥିବା ଦୁର୍ବୃତ୍ତମାନେ ସେମାନଙ୍କର ନାମ କହି ନ ଥିବା ବେଳେ ବିଭିନ୍ନ ସ୍ଥାନରୁ ଫୋନ ଆସୁଥିବା ନେଇ ବିଜେୟନ୍ଦ୍ର କହିଛନ୍ତି। ଏଥିସହ ଭୂମି ପୂଜନର ମୁହୂର୍ତ୍ତ ସେ କାହିଁକି ବାହାର କଲେ ଏବଂ ଏହି କାର୍ଯ୍ୟକ୍ରମରେ କାହିଁକି ଯୋଡ଼ି ହେଉଛନ୍ତି ବୋଲି ଦୁର୍ବୃତ୍ତମାନେ ତାଙ୍କୁ ଧମକ ଦେଇଥିଲେ। ପୋଲିସଙ୍କ କହିବା ଅନୁସାରେ କଲ୍‌ କରିଥିବା ଦୁର୍ବୃତ୍ତମାନେ କଥିତ ଭାବେ ପଣ୍ଡିତଙ୍କୁ ମୂହୁର୍ତ୍ତ କଥା ଫେରାଇ ନେବାକୁ ଧମକ ଦେଇଥିଲେ, ଯାହାକି ସେ ସମାରୋହ ଲାଗି ନିର୍ଦ୍ଧାରଣ କରିଥିଲେ । ତେବେ ଏହି ଧମକପୂର୍ଣ୍ଣ କଲ୍‌କୁ ଦୃଷ୍ଟିରେ ରଖି ଏବେ ପୂଜାରୀଙ୍କ ବାସଭବନରେ ପୋଲିସକର୍ମୀଙ୍କୁ ମୁତୟନ କରାଯାଇଛି ବୋଲି ବେଲଗାଭି କମିଶନର ସୂଚନା ଦେଇଛନ୍ତି।

Share