Advertisement

ଥାନାରୁ ଖସି ପଳାଇଲେ ୩ ଅଭିଯୁକ୍ତ

ସମ୍ବଲପୁର,୨୯ା୩(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନାରୁ ୩ ଅଭିଯୁକ୍ତ କୋର୍ଟ ଚାଲାଣ ପୂର୍ବରୁ ଚମ୍ପଟ୍‌ ମାରିଛନ୍ତି। ସେମାନେ ହେଲେ ଝାକି କୁମାର, ସମୀର ଚୌଧୁରୀ ଓ ମହମ୍ମଦ ସକିଲ। କାର୍ଯ୍ୟରେ ଅବହେଳା ପାଇଁ ଦାୟିତ୍ୱରେ ଥିବା ଡାଇରି ଚାର୍ଜ ଅଫିସର (ଡିସିଓ) ନିରଞ୍ଜନ ପ୍ରଧାନ ଓ ସେଣ୍ଟ୍ରି ଏସ୍‌.ଏନ୍‌. ନାୟକଙ୍କୁ ନିଲମ୍ବନ କରାଯାଇଥିବା ଏସ୍‌ପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି।

ଡିଜେଲ ଚୋରି ମାମଲାରେ ଉପରୋକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସଫେଇ କର୍ମଚାରୀ ପଙ୍କଜିନୀ ସିନ୍ଦରିଆ ଝାଡୁ ମାରିବା ସମୟରେ ଏହି ଘଟଣା ଘଟିଥିଲା। ତେଣୁ ପଙ୍କଜିନୀଙ୍କୁ ପୋଲିସ ଅଟକ ରଖି ତଦନ୍ତ କରିଥିଲା। ଏହା ଜାଣିବା ପରେ ଧନୁପାଲି ଥାନାରେ ଶତାଧିକ ମହିଳା ପୁରୁଷ ପହଞ୍ଚତ୍ଥିଲେ। ସେମାନେ ପୋଲିସର ଅବହେଳାକୁ ଦାୟୀ କରିବା ସହ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ସଫେଇ କର୍ମଚାରୀଙ୍କ ଉପରେ ଦୋଷ ଲଦୁଥିବା ଅଭିଯୋଗ କରିଥିଲେ।

ଅନ୍ୟପକ୍ଷେ ପଙ୍କଜିନୀ କହିଛନ୍ତି, ବହୁବର୍ଷ ହେଲା ଥାନାରେ ସଫେଇ କାମ କରିଆସୁଛି। କେବେହେଲେ ମୋ ନାମରେ ଏଭଳି ଅଭିଯୋଗ ଆସି ନାହିଁ। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ମୋର ସମ୍ପର୍କୀୟ ଥିବାରୁ ପୋଲିସ ମୋତେ ସନ୍ଦେହ କରି ଅଟକ ରଖିଥିଲା। ଝାଡୁ ମାରିବା ସମୟରେ ଅଭିଯୁକ୍ତମାନଙ୍କ ଅନୁପସ୍ଥିତି ନେଇ ପ୍ରଥମେ ମୁଁ ପୋଲିସକୁ ଜଣାଇଥିଲି ବୋଲି କହିଥିଲେ। ଏ ସମ୍ପର୍କରେ ସଦର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ କହିଛନ୍ତି, ସର୍ଲକାନୀ ଅଞ୍ଚଳରେ ଡିଜେଲ ଚୋରି ହେଉଥିବା ନେଇ ଟ୍ରକ୍‌ ମାଲିକମାନେ ଅଭିଯୋଗ କରିଥିଲେ। ଏ ନେଇ ଥାନାରେ କେସ୍‌ ନଂ.୯୬/୨୨ରେ ମାମଲା ରୁଜୁ ହୋଇଥିଲା। ଏହାର ତଦନ୍ତ କରି ପୋଲିସ ରବିବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସୋମବାର ସକାଳ ୭ରୁ ୭ଟା୧୫ ଭିତରେ ରିଫ୍ରେସମେଣ୍ଟ ସମୟରେ ଅଭିଯୁକ୍ତମାନେ ଖସି ପଲାଇଛନ୍ତି। ସେମାନଙ୍କୁ କୋର୍ଟ ଚାଲାଣ କରିବାର ଥିଲା। ପୋଲିସ ଟିମ୍‌ ଗଠନ କରି ଚଢ଼ାଉ ଜାରି ରହିଛି। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ କରାଯାଉଛି। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ବୁର୍ଲା ଓ ସଦର ଥାନାରୁ ଗିରଫ ଅଭିଯୁକ୍ତମାନେ ଏହିଭଳି ଫେରାର ହୋଇଯାଇଥିଲେ। ପରେ ପୋଲିସ ବିଭିନ୍ନ ଅଞ୍ଚଳରେ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share