
ଖଲ୍ଲିକୋଟ, ୧୭।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିପୁର ନାଏବ ସରପଞ୍ଚ ମିନତୀ କୁମାରୀ ଦାସଙ୍କ ସ୍ବାମୀ ରବି ଦାସଙ୍କୁ ହତ୍ୟା ଘଟଣାରେ ୩ ପୁତୁରା ଗିରଫ ହୋଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତି ଥିବା ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂଚନା ଦେଇଛି । ଗିରଫ ପୁତୁରାମାନେ ହେଲେ ନୀଳାଞ୍ଚଳ ଦାସ( ୨୯), ସଞ୍ଜୟ ଓରଫ କାଳିଆ ଦାସ (୩୦) ଏବଂ ଶ୍ରୀନିବାସ ଦାସ (୨୬)। ଗିରଫ ୩ ଜଣ ସେହି ଗ୍ରାମର ହୋଇଥିବା ବେଳେ ଭାକୁଟୀଡିହ ଗ୍ରାମର ନାରାୟଣ ପରିଡା ଫେରାର ଥିବା ଜଣାପଡ଼ିଛି। ସେମାନଙ୍କଠାରୁ ହତ୍ୟାରେ ବ୍ୟବହୃତ ଦୁଇଟି ଖଣ୍ଡାକୁ ପୋଲିସ ଜବତ କରିଛି। ଅନ୍ୟପଟେ ହତ୍ୟା କରିବା ପରେ ମୃତ ରବି ଦାସଙ୍କ ବୁଲେଟ ଓ ମୋବାଇଲ ଫୋନକୁ ଧରି ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ। ସେମାନଙ୍କ ଠାରୁ ବୁଲେଟ ଜବତ କରାଯାଇଛି। ବୁଲେଟର ନମ୍ବର ପ୍ଲେଟକୁ ଅଭିଯୁକ୍ତମାନେ ବାହାର କରି ଫୋପାଡି ଦେଇଥିବା ପୋଲିସ କହିଛି। ତେବେ ମୃତ ରବିଙ୍କ ମୋବାଇଲ ଫୋନ ଟିକୁ ଅଭିଯୁକ୍ତ ମାନେ ନଦୀରେ ଫିଙ୍ଗି ଦେଇଥିବା ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଗାଁରେ ଚାଲିଥିବା ମଦ ବ୍ୟବସାୟକୁ ନେଇ ହୋଇଥିବା ପୂର୍ବ ଶତ୍ରୁତାରୁ ଦାଦାଙ୍କ ପୁତୁରାମାନେ ହତ୍ୟା କରିଥିବା ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ କହିଛନ୍ତି । ଛତ୍ରପୁରଠାରେ ଅଭିଯୁକ୍ତମାନେ ବୁଲୁଥିବା ଖବରପାଇ ପୋଲିସ ଚଢ଼ାଉ କରି ୩ ଜଣଙ୍କୁ ଧରିଥିବା ବେଳେ ଆଉ ଜଣେ ଫେରାର ହୋଇ ଯାଇଛନ୍ତି।
ମୃତ ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସଙ୍କ ନାମରେ ପୂର୍ବରୁ ୧୮ ଟି ଅପରାଧିକ ମାମଲା ରହିଥିବା ପୋଳିସ ସୂଚନା ଦେଇଛି । ସୋମବାରେ ଏନେଇ ଖଲ୍ଲିକୋଟ ଥାନାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ ଉପସ୍ଥିତ ରହି ସମସ୍ତ ସୂଚନା ପ୍ରଦାନ କରିଛନ୍ତି। ଏସଡିପିଓଙ୍କ ସୂଚନା ଅନୁଯାୟୀ, ହରିପୁର ଗ୍ରାମରେ ମୃତ ରବି ଦାସ ଗତ ୧୦ ବର୍ଷ ହେଲା ବେଆଇନ ମଦ କାରବାର ଚଳାଇ ଆସୁଥିଲେ। ଫେରାର ଥିବା ଅଭିଯୁକ୍ତ ନାରାୟଣ ପରିଡା ରବିଙ୍କୁ ମଦ ବ୍ୟବସାୟରେ ସହଯୋଗ କରୁଥିଲେ। ତେବେ କୌଣସି କାରଣରୁ ମନୋମାଳିନ୍ୟ ହେବାରୁ ରବି ନାରାୟଣଙ୍କୁ ବ୍ୟବସାୟରୁ ବାହାର କରି ଦେଇଥିଲେ। ଇତି ମଧ୍ୟରେ ରବିଙ୍କ ଦୁଇ ପୁତୁରା ନୀଳାଞ୍ଚଳ ଦାସ ଓ ଶ୍ରୀନିବାସ ଦାସ ଦାଦାଙ୍କୁ ଚାଲେଞ୍ଜ ଦେଇ ସେହି ଗ୍ରାମରେ ମଦ ବ୍ୟବସାୟ ଆରମ୍ଭ କରିଦେଇଥିଲେ। ଏହି କାରଣରୁ ଦାଦା ଓ ପୁତୁରା ମଧ୍ୟରେ ଶତ୍ରୁତା ବଢ଼ି ଚାଲିଥିଲା।
ଗତ ୨୦୨୩ରେ ରବି ଦୁଇ ପୁତୁରା ନୀଳାଞ୍ଚଳ ଓ ଶ୍ରୀନିବାସ ଉପରେ ବୋମାମାଡ଼ କରି ଗୁରୁତର ଆହତ କରିଥିବା ଖଲ୍ଲିକୋଟ ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ଥାନା କେସ ନମ୍ବର ୮୫୧/୨୦୨୩ ଅନୁଯାୟୀ ମାମଲା ରୁଜୁ କରି ପୋଲିସ ରବି ଦାସ ଓ ତାର ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗତ କିଛି ମାସ ତଳେ ରବି ଜେଲରୁ ଜାମିନରେ ଆସିଥିଲେ। ଜେଲରୁ ଆସିବା ପରେ ରବି ନିଜ ଜୀବନ ପ୍ରତି ବିପଦ ଥିବା ମନେ କରି ଗାଁରେ ନ ରହି କଞ୍ଚଣାରେ ରହୁଥିଲା। ପୁତୁରାମାନେ ସେହି ଦିନ ଠାରୁ ପ୍ରତିଶୋଧ ନେବା ପାଇଁ ସୁଯୋଗ ଉଣ୍ଡି ହତ୍ୟା କରିଥିଲେ। ରବିଙ୍କ ପତ୍ନୀ ମିନତୀ ଦାସଙ୍କ ଏତଲା ଅନୁଯାୟୀ ଥାନା କେସ ନମ୍ବର ୧୮୧/୨୦୨୫ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ ହୋଇଥିଲା। ଗିରଫ ତିନି ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।