ଶ୍ରୀନଗର,୧୨।୨: ଜମ୍ମୁ-କଶ୍ମୀରର ସୋପୋରେ ଜିଲାର ଡାଙ୍ଗିୱାଚା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଡାଙ୍ଗିୱାଚା ଅଞ୍ଚଳରୁ ଅଲ୍-ବଦରର ୩ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି। ଏହି ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ନଗଦ ଟଙ୍କା ଜବତ କରାଯାଇଛି। ସୂଚନାଯୋଗ୍ୟ, ଡାଙ୍ଗିୱାଚା ଅଞ୍ଚଳରେ କେତେକ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା। ଶନିବାର ଉକ୍ତ ଅଞ୍ଚଳରେ ସେନା, ସିଆରପିଏଫ୍ ଓ ଜମ୍ମୁ-କଶ୍ମୀର ପୋଲିସର ମିଳିତ ଅପରେସନ୍ରେ ଉକ୍ତ ୩ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀମାନେ ହେଲେ ୱାରେଶ କାମ୍ରାନ ତାନ୍ତ୍ରେ, ଆମୀର ସୁଲତାନ ୱାନି ଓ ତାରିକ ଅହମ୍ମଦ ଭଟ୍ଟ ବୋଲି ଜଣାପଡିଛି। ଏହି ୩ଜଣଙ୍କଠାରୁ ଏକେ-୪୭ ରାଇଫଲ, ବନ୍ଧୁକ, ଅଫୁଟା ଗୁଳି ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହ ନଗଦ ୨ ଲକ୍ଷ ଟଙ୍କା ଜବତ କରାଯାଇଥିବା ନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୂଚନା ରହିଛି।